କନକ ବ୍ୟୁରୋ: ମନ୍ତ୍ରୀଙ୍କ ନାଁ ନେଇ ଠକେଇ । ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଛନ୍ତି ଚତୁର ଠକ । କେତେବେଳେ ପୁଅଙ୍କ ସ୍ୱରରେ କଥା ହେଉଥିଲେ ତ ଆଉ କେତେବେଳେ ଝିଅଙ୍କ ସ୍ୱରରେ କଥା ହୋଇ ଚୁନା ଲଗାଉଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଆଜି ସୌମ୍ୟରଂଜନ ପ୍ରଧାନ ଓରଫ ମନୀଷା କିନ୍ନରଙ୍କୁ ତାର ଦୁଇ ସହଯୋଗୀଙ୍କ ସହ ଗିରଫ କରାଯାଇଛି । ଗିରଫ ସୌମ୍ୟରଂଜନଙ୍କ ଘର ବୌଦ୍ଧ ଜିଲ୍ଲାରେ ଓ ସେ ଡିପ୍ଲୋମା ଯାଏଁ ପାଠ ପଢିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନେଶ୍ୱରର ବିକାଶ ସିଂଘଲ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଥିଲେ ସୌମ୍ୟରଂଜନ । ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପିଏର ପରିଚୟ ଦେଇ ବ୍ୟବସାୟୀଙ୍କୁ ଫୋନ କରିଥିଲେ । ଆଉ କହିଥିଲେ ରାଜନେତାଙ୍କ ଘରେ ଏକ ହୋମ ଯଜ୍ଞ ଅଛି, ତାଙ୍କ ମାଆ ଆପଣଙ୍କୁ ଫୋନ କରିବେ, ଆପଣ ସହଯୋଗ କରିବେ ।

Advertisment

ଏହାର କିଛି ସମୟ ପରେ ପୁଣି ଜଣେ ମହିଳାଙ୍କ କଣ୍ଠସ୍ୱରରେ ଅନ୍ୟଏକ ନଂବରରୁ ଫୋନ କରି ଆର୍ଥିକ ସହଯୋଗ ମାଗିଥିଲେ । ସୈାମ୍ୟରଂଜନ ଏଭଳି ଢଙ୍ଗରେ କଥାବର୍ତା ହୋଇଥିଲା ଯେ ସଂପୃକ୍ତ ବ୍ୟବସାୟୀ ବିଶ୍ୱାସ କରି ଫୋନପେ ଜରିଆରେ ସାଢେ ୩୧ ହଜାର ଟଙ୍କା ପଠାଇଥିଲେ । ପରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏହି ଠକେଇ ଘଟଣାରେ ସୌମ୍ୟରଂଜନଙ୍କ ଦୁଇ ସହଯୋଗୀ ବ୍ରହ୍ମପୁରର ତୁଷାରକାନ୍ତି ବାଇ ଏବଂ ଯାଜପୁରର ସୁନୀଲ ସାମନ୍ତରାୟଙ୍କୁ ଗିରଫ କରିଛି ସାଇବର ପୁଲିସ । ଏହି ୨ ସହଯୋଗୀ ଫ୍ରଡ କଲ ଜରିଆରେ ଠକେଇ କରିବାରେ ସୌମ୍ୟରଂଜନଙ୍କୁ ସାହାଯ୍ୟ କରୁଥିଲେ ଓ ପ୍ରତିଠକେଇ ପିଛା ୧୦ ପ୍ରତିଶତ ଭାଗ ନେଉଥିଲେ । ସୂଚନା ଅନୁସାରେ ପୂର୍ବରୁ ସୈାମ୍ୟରଂଜନଙ୍କ ନାଁରେ ଏଭଳି ୮ଟି ଠକେଇ ମାମଲା ରହିଛି । ଭୁବନେଶ୍ୱରରେ ତିନୋଟି ଠକେଇ, ବ୍ରହ୍ମପୁର ଓ ସମ୍ବଲପୁରରେ ୨ଟି ଲେଖାଏଁ ଏବଂ ଅନୁଗୁଳରେ ଗୋଟିଏ ଠକେଇ ମାମଲା ରହିଛି ।