ମାନସ ହତ୍ୟାକାଣ୍ଡର ପ୍ରମାଣ ଲୁଚାଇବାକୁ ଦୃଶ୍ୟମ ଚଳଚିତ୍ର ଭଳି ଯୋଜନା କରିଥିଲା ଶର୍ମିଷ୍ଠା । ଗୋଟିଏ ଜାଗାରେ ମର୍ଡର, ଅନ୍ୟସ୍ଥାନରେ ପୋତିଥିଲେ ଶବ ।

152

କନକ ବ୍ୟୁରୋ : ହତ୍ୟା ପରେ ଶବ ଓ ପ୍ରମାଣ ନଷ୍ଟ ପାଇଁ ଫିଲ୍ମ ରାସ୍ତା ଆପଣାଇଥିଲା ଶର୍ମିଷ୍ଠା । ବହୁ ଚର୍ଚ୍ଚିତ ଫିଲ୍ମ ଦୃଶ୍ୟମରେ ଯେଉଁଭଳି ତରିକା ଆପଣାଇ ନିଜ ପରିବାରକୁ ବଞ୍ଚାଇଥିଲେ ମୁଖ୍ୟ ଚରିତ୍ରରେ ଥିବା ଅଜୟ ଦେବଗନ, ଠିକ ସେହିଭଳି ରାସ୍ତାକୁ ଆପଣାଇଥିଲେ ଶର୍ମିଷ୍ଠା । ଏଠି କାହାକୁ ବଞ୍ଚାଇବାର ମାନସିକତା ନଥିଲା, ବରଂ ପୁଲିସକୁ ଚକମା ଦେବା ପାଇଁ ବ୍ଲୁପ୍ରିଂଟ ତିଆରି କରିଥିଲା ଶର୍ମିଷ୍ଠା ।

ବଲିଉଡ ଫିଲ୍ମ ଦୃଶ୍ୟମର କାହାଣୀ ଭଳି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ସୂଚନା ଅନୁସାରେ, ଫିଲ୍ମରେ ହିରୋ ଅଜୟ ଦେବଗନ, ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଯେମିତି ଶବ ଲୁଚାଇବାଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲେ, ମାନସଙ୍କୁ ମାରିବା ପରେ ପୁଲିସକୁ ଅନ୍ଧାରରେ ରଖିବା ପାଇଁ ସେମିତି ଉଦ୍ୟମ କରିଥିଲେ ଶର୍ମିଷ୍ଠା ।

ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ପ୍ରମାଣ ନଷ୍ଟ ଉଦ୍ୟମ । ପୁଲିସକୁ ଅନ୍ଧାରରେ ରଖିବାକୁ ରଚିଥିଲେ ଷଡଯନ୍ତ୍ର । ମାନସଙ୍କୁ ଶର୍ମିଷ୍ଠା ଦୃଶ୍ୟମ ଫିଲ୍ମ ଷ୍ଟାଇଲରେ ଗୋଟିଏ ସ୍ଥାନରେ ହତ୍ୟା କରିବା ପରେ ଆଉ ଗୋଟିଏ ସ୍ଥାନରେ ତାଙ୍କ ଶବକୁ ପୋତି ଦେଇଥିଲେ । ଫିଲ୍ମ ଭଳି ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱରରେ ହତ୍ୟା ଓ ନୟାଗଡରେ ପୋତି ଦେଇଥିଲେ ଶବ । ତାପରେ ନୟାଗଡରୁ ଚଣ୍ଡିଖୋଲ ଛକ ଦେଇ ଦୈତାରୀ ରାସ୍ତାରେ ଯାଇ ଅଖା, ଇଅର ଫୋନ, ଚପଲ, ଗଇଁତି, କୋଦାଳ ଫିଙ୍ଗି ଦେଇଥିଲେ । ସେଠୁ ଜାରକା ଯାଇ ଏକ ଚା ଦୋକାନ ନିକଟରେ ମାନସର ମୋବାଇଲକୁ ଛାଡି ଚାଲିଯାଇଥିଲେ ।

ଶର୍ମିଷ୍ଠା ନିଜେ ଜଣେ କ୍ରାଇମ ରିପୋର୍ଟର ହୋଇଥିବାରୁ ବେଶ ଭଲ ଭାବେ ଜାଣିଥିଲା ପୁଲିସ କେଉଁ କେଉଁ ଦିଗରେ ତଦନ୍ତ କରିବ । ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ପୁଲିସକୁ ଏମିତି ଭୂଆଁ ବୁଲାଉଥିଲା । ଯେଉଁଥିପାଇଁ ତାଙ୍କୁ ବାରମ୍ବାର ଡାକି ମଧ୍ୟ ଛାଡି ଦେଇଥିଲେ ପୁଲିସ । କିନ୍ତୁ ଶେଷରେ ଧରାପଡିଯାଇଥିଲା ଶର୍ମିଷ୍ଠାଙ୍କ ଚାଲ । ଆଉ ମାନସଙ୍କୁ ହତ୍ୟା କରିଥିବା ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ମାନସଙ୍କ ହତ୍ୟାକାଣ୍ଡର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ କେଉଁଠି ଅଛି ଓ ଏଥିରେ କଣ ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ ।