ବଳ ଗୋଟାଇ ଆସିବ ବାତ୍ୟା । ଦୁଇଟି ଲଘୁଚାପ ମିଶି ବଢାଇବେ ଶକ୍ତି, ଦଶହରା ପରେ ପରେ ଉପକୂଳରେ ହୋଇପାରେ ମାଡ ।

548

କନକ ବ୍ୟୁରୋ : ଦଶହରାର ଠିକ୍ ପରେ ପରେ ମାଡ ହୋଇପାରେ ବାତ୍ୟା । ୧୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି । ଏହା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି । ସେପଟେ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହା ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସହ ମିଶିଯାଇପାରେ । ଦୁଇଟି ଲଘୁଚାପ ମିଶିଗଲେ ଏହା ଅଧିକ ଶକ୍ତିଶାଳୀ ହେବ । ଏବଂ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ, ଉତ୍ତର ଆଣ୍ଡାମାନ ସାଗରରେ ୧୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଏହା କ୍ରମେ ଅଧିକ ଘନିଭୂତ ହୋଇ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରିବ ।

୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ । ବାତ୍ୟା ପାଇଁ ଅନୁକୁଳ ହେଉଛି ପାଣିପାଗ । କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତନ ତାପମାତ୍ରା ଓ ଉପର ବାୟୁମଣ୍ଡଳର ସ୍ଥିତି ଏମିତି ହୋଇଛି ଯେ ଲଘୁଚାପ ଅଧିକ ଘନିଭୂତ ହୋଇ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଇଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁଙ୍କ ଆକଳନ ହେଉଛି, ସମାନ୍ତରାଳ ଭାବେ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି । ଏଠାରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଘନିଭୂତ ହୋଇ ମିଆଁମାର, କାମ୍ବୋଡିଆ, ଥାଇଲାଣ୍ଡ ଉପସାଗର ଅତିକ୍ରମ କରି ଦକ୍ଷିଣ ବଙ୍ଗୋପସାଗରରେ ମୁହାଁ ହେବ ।

ବଙ୍ଗୋପସାଗର ଓ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ମିଶିଗଲେ, ଏହା ଅଧିକ ଶକ୍ତିଶାଳୀ ହେବା ଆଶଙ୍କା ରହିଛି । ଯେହେତୁ ସମୁଦ୍ର ଭିତରର ସ୍ଥିତି ଅନୁକୂଳ ରହିଛି, ତେଣୁ ଏହା ଅଧିକ ଘନିଭୂତ ହେବା ସମ୍ଭାବନା ବଢ଼ିଯାଇଛି । ସମୁଦ୍ର ଭିତରେ ଲଘୁଚାପ ୪-୫ଦିନ ରହୁଥିବାରୁ ଏହା ବାତ୍ୟାର ରୂପ ନେଇପାରେ । ଯଦି ବାତ୍ୟାର ରୂପ ନେବ, ତେବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଭିତରେ ବାତ୍ୟା ମାଡ ହେବା ଆଶଙ୍କା ରହିଛି । ଭୀଷଣ ସାମୁଦ୍ରିକ ଝଡ଼ର ଆଶଙ୍କା ମଧ୍ୟ ରହିଛି । ଦଶହରାର ଠିକ୍ ପରେ ପରେ ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ପଡିପାରେ ।