ପୃଥିବୀ ଭଳି ବିଶ୍ୱରେ ରହିଛି ଆଉ ଏକ ଗ୍ରହ । ଜୀବନ ସତ୍ତା ପାଇଁ ଭରି ରହିଛି ପାଣି ଓ ବରଫ୍ । ଚାରିପଟେ ପରିକ୍ରମା କରୁଛନ୍ତି ଦୁଇଟି ଚନ୍ଦ୍ର । ୧୨ ଘଂଟା ଅନ୍ତରରେ ହେଉଛି ଦିନ ଓ ରାତି

979

କନକ ବ୍ୟୁରୋ : ଗ୍ରହ ନକ୍ଷତ୍ରକୁ ନେଇ କେତେ କେତେ ଜୌତିଷ ପୂର୍ବରୁ ଅନେକ ଅନେକ ପ୍ରକାରର ମତ ଦେଇଛନ୍ତି । ଏହା ସହ ଦୀର୍ଘଦିନ ହେବ ଗ୍ରହ ନକ୍ଷତ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନେ ବି ଗ୍ରହ ନକ୍ଷତ୍ର ମାନଙ୍କର ଚଳଣିକୁ ନେଇ ଅନେକ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ହେଲେ ଆମେ କାହା କଥା ବିଶ୍ୱାସ କରିବା । ଗ୍ରହ ନକ୍ଷତ୍ର ବାବଦରେ ବହିରୁ ପଢି ଆମକୁ ସୂଚନା ଦେଉଥିବା ଜୌତିଷ ନା ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ଗ୍ରହ ନକ୍ଷତ୍ର ପରିଦର୍ଶନ କରି ଫେରିଥିବା ବୈଜ୍ଞାନିକ ମାନଙ୍କ କଥା ।

ବାସ୍ତବତା ହେଉଛି ଯେଉଁ ବୈଜ୍ଞାନିକ ମାନେ ମହାକାଶ ଗବେଷଣା ପାଇଁ ମହାକାଶକୁ ଯାଇ ବାସ୍ତବ ଚିତ୍ର ଦେଖିଛନ୍ତି ସେମାନଙ୍କ କଥାକୁ ବିଶ୍ୱାସ କରିବାର ଆବଶ୍ୟକତା ରହିଛି । ବିଶେଷ କରି ଗ୍ରହ ମାନଙ୍କ ଉପରେ ହେଉଥିବା ଗବେଷଣା ଭିତରେ ବୈଜ୍ଞାନିକ ମାନେ ବିଶେଷ ଭାବେ ମଙ୍ଗଳ ଗ୍ରହ ଉପରେ ଗବେଷଣାକୁ କେନ୍ଦ୍ରିଭୂତ କରିଛନ୍ତି । ସେମାନଙ୍କ ସଚନା ମୁତାବକ ଆମେ ଆଜି ଆପଣଙ୍କୁ ମଙ୍ଗଳ ଗ୍ରହର କିଛି ଅଜଣା କଥା ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।

ମଙ୍ଗଳ ଗ୍ରହ ଲୋହିତ ଗ୍ରହ ଭାବେ ବି ବେସ ପରିଚିତ । ପୃଥିବୀ ଭଳି ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି ରହିଛି । ପୃଥିବୀ ତା’ର ଅକ୍ଷ ଚାରିପଟେ ଥରେ ଘୁରି ଆସିବାକୁ ଯେତିକି ସମୟ ନେଇଥାଏ ମଙ୍ଗଳ ଗ୍ରହ ବି ପାଖା ପାଖି ସେତିକି ସମୟ ମଧ୍ୟରେ ତା’ର ଅକ୍ଷ ଚାରିପଟେ ଥରେ ଘୁରି ଆସିଥାଏ । ଅର୍ଥାତ ମଙ୍ଗଳ ଗ୍ରହ ତା’ର ଅକ୍ଷ ଚାରିପଟେ ଘୁରି ଆସିବାକୁ ୨୪ ଘଂଟା ୩୯ ମିନିଟ୍ ୩୫ ସେକେଣ୍ଡ ନେଇଥାଏ । ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଂଗେ ପ୍ରାୟ ସମାନ ଅଟେ । ଫଳରେ ପୃଥିବୀ ଭଳି ମଙ୍ଗଳ ଗ୍ରହରେ ପ୍ରତି ୧୨ ଘଂଟା ଅନ୍ତରରେ ଦିନ ଓ ରାତିର ପରବର୍ତ୍ତନ ହୋଇଥାଏ । ମଙ୍ଗଳ ଗ୍ରହରେ ବି ପୃଥିବୀ ଭଳି ଏକ ବାୟୁ ମଣ୍ଡଳ ରହିଛି ହେଲେ ତାହା ପୃଥିବୀର ବାୟୁ ମଣ୍ଡଳ ଠାରୁ ବହୁ ପତଳା । ପୃଥିବୀ ଭଳି ମଙ୍ଗଳର ଉଭୟ ମେରୁରେ ପ୍ରଚୁର ପରିମାଣର ଜଳ ଓ ବରଫ ଗଚ୍ଛିତ ହୋଇ ରହିଛି । ଏହା ସହ ମଙ୍ଗଳ ଗ୍ରହରେ ଡିମସ୍ ଓ ଫୋବସ୍ ନାମରେ ଦୁଇଟି ଛୋଟ ଚନ୍ଦ୍ର ରହିଛି । ଏହି ଦୁଇଟି ଚନ୍ଦ୍ର ମଧ୍ୟରୁ ଫୋବସ୍ର ଆକାରରେ ବଡ ଅଟେ । ଏହାର ବିସ୍ତୁତି ୨୭ କିଲୋମିଟର ରହିଥିବା ବେଳେ ଏହା ଗ୍ରହ ଠାରୁ ୫୯୮୯ କିଲୋମିଟର ଉର୍ଦ୍ଧରେ ରହି ମଙ୍ଗଳ ଗ୍ରହକୁ ପରିକ୍ରମା କରୁଛି । ମଙ୍ଗଳ ଚାରିପଟେ ଥରେ ପରିକ୍ରମା କରିବାକୁ ଫୋବସ୍ କୁ ୭ ଘଂଟା ୩୯ ମିନିଟ୍ ସମୟ ଲାଗିଥାଏ । ସେହିପରି ଅନ୍ୟ ଏକ ଚନ୍ଦ୍ର ଡିମସ୍ ର ସର୍ବାଧିକ ବିସ୍ତୁତି ୧୫ କିଲୋମିଟର ବୋଲି ମହାକାଶ ଗବେଷକ ମାନେ ସୂଚନା ଦେଇଛନ୍ତି । ଏହା ଗ୍ରହ ଠାରୁ ୨୩.୪୬୦ କିଲୋମିଟର ଉର୍ଦ୍ଧରେ ରହି ପ୍ରତି ୩୦ ଘଂଟାରେ ଥରେ ମଙ୍ଗଳ ଗ୍ରହକୁ ପରିକ୍ରମା କରିଥାଏ ।

ଅନ୍ୟପଟେ ଏପର୍ଯ୍ୟନ୍ତ ମଣିଷ ମଙ୍ଗଳ ଗ୍ରହକୁ ୧୮ ଟି ଅନ୍ତରୀକ୍ଷ ଯାନ ପ୍ରେରଣ କରିସାରିଛି । ଯାହା ମଧ୍ୟରୁ କେବଳ ୯ ଟି ଅନ୍ତରୀକ୍ଷ ଯାନ ମଙ୍ଗଳ ଗ୍ରହରେ ସୁରକ୍ଷିତ ଭାବେ ଅବତରଣ କରିପାରିଛି । ଆମେରିକୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା କହିଛି କି ଆସନ୍ତା ୨୦୩୦ ମସିହା ସୁଦ୍ଧା ମଙ୍ଗଳ ଗ୍ରହକୁ ମାନବସ୍ଥିତ ଅଭିଯାନ ପ୍ରେରଣ କରିବ ବୋଲି ଆଶା କରିଛି । ନାସାର ଏଭଳି ଉଦ୍ୟମ ସଫଳ ହେଲେ ୩୦ ରୁ ୪୦ ବର୍ଷ ମଧ୍ୟରେ ପୃଥିବୀରୁ ପ୍ରଥମ ମଣିଷ ମଙ୍ଗଳ ପୃଷ୍ଟରେ ପାଦ ଥାପିବ ବୋଲି ଆଶା କରାଯାଉଛି ।