ଚତୁର୍ଥ ପର୍ଯ୍ୟାୟରେ ଅନିୟମିତତାର ଗଦା ଗଦା ଅଭିଯୋଗ । କେଉଁଠି ଗେଟ୍ ବନ୍ଦ କରି ଚାଲିଥିଲା ରିଗିଂ, ଆଉ କେଉଁଠି ଭୋଟରଙ୍କୁ ପ୍ରଭାବିତ କରୁଥିଲେ ପ୍ରିଜାଇଡିଂ ଅଫିସର । 

193

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ବିପୁଳ ମତଦାନ ଭିତରେ ଅନେକ ସ୍ଥାନରୁ ରିଗିଂ, ଅନିୟମିତତା, ଇଭିଏମ୍ ଭଙ୍ଗାଠାରୁ ଆରମ୍ଭ କରି ମାରପିଟ୍, ଗଣ୍ଡଗୋଳ ଭଳି ଗଦା ଗଦା ଅଭିଯୋଗ ଆସିଛି । ଗତ ୩ଟି ପର୍ଯ୍ୟାୟଠାରୁ ବଳି ଯାଇଛି ଶେଷ ପର୍ଯ୍ୟାୟ ନିର୍ବାଚନ । କେଉଁଠି ମତଦାନ କେନ୍ଦ୍ର ଭିତରେ ରିଗିଂ ଅଭିଯୋଗରେ ଉତ୍ତେଜନା ତ କେଉଁଠି ମତଦାନ କେନ୍ଦ୍ର ବାହାରେ ମାରପିଟର ଖବର ଆସିଛି । ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ଓ ଗିରଫ କରାଯାଇଥିବା ଭଳି ଚାଂଚଲ୍ୟକର ଖବର ମଧ୍ୟ ଆସିଛି ।

ପୋଲିଂ ଷ୍ଟେସନ୍ ବାହାରେ ଲାଗିଥିଲା ଉତ୍ତେଜନା । ପୋଲିଂ ବୁଥର ଗେଟକୁ ବନ୍ଦ କରିଦିଆଯାଇଥିଲା, ଏବଂ ଅଭିଯୋଗ ଅନୁସାରେ ଭିତରେ ରିଗିଂ ଚାଲିଥିଲା । ଆଉ ବାହାରେ ଭୋଟରମାନେ ଏହାର ପ୍ରବଳ ପ୍ରତିବାଦ ମଧ୍ୟ କରିଥିଲେ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି ବରି ବିଧାନସଭା ଆସନର ୪ଟି ପୋଲିଂ ଷ୍ଟେସନରୁ । ବରି ବିଧାନସଭାର ବୁଥ ନମ୍ବର ୧୫୮, ୧୬୨, ୧୬୩ ଏବଂ ୧୬୪ରେ ଖୁଲମଖୁଲା ରିଗିଂ ହେଉଥିବା ଅଭିଯୋଗ ହୋଇଛି ।

ଏବେ ଦେଖନ୍ତୁ ସେହି ବୁଥର ଭିତରର ଦୃଶ୍ୟ । ଏହି ବ୍ୟକ୍ତି ଜଣକ ଭୋଟ ଦେଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବୃଦ୍ଧାଙ୍କ ନାଁ ଯାଂଚ ହେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ପାଇଁ ଭୋଟ୍ ଦେଉଛନ୍ତି । ଅଭିଯୋଗ ଅନୁସାରେ ଆଉ ଜଣେ ବ୍ୟକ୍ତି ଭୋଟ ଦେବା ବେଳେ ମଧ୍ୟ ସେହି ବ୍ୟକ୍ତି ସେଠାରେ ଉପସ୍ଥିତ ଅଛନ୍ତି । ସେପଟେ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ଚତୁର୍ଥ ପର୍ଯ୍ୟାୟରେ ଅଭାବନୀୟ ଘଟଣା । ଭୋଟରଙ୍କୁ ପ୍ରଭାବିତ କରୁଥିଲେ ପ୍ରିଜାଇଡିଂ ଅଫିସର । ବିଂଝାରପୁର ବିଧାନସଭାର ୧୯୧ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ସଂପୃକ୍ତ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ସେହିପରି ସୁକିନ୍ଦା ବିଧାନସଭାର ୧୯୬ ନମ୍ବର ବୁଥରୁ ମଧ୍ୟ ଆସିଛି ସେହିଭଳି ଖବର । ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କହୁଥିବା ଅଭିଯୋଗରେ ଚତୁର୍ଥ ପୋଲିଂ ଅଫିସରଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ସମାନ ଅଭିଯୋଗରେ ଗୋପର ଆଳସୀ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରର ସେକେଣ୍ଡ ପୋଲିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି । ସେପଟେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୪୭ ନମ୍ବର ବୁଥରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା । ଜଣେ ମହିଳା କର୍ମୀ ବିଜେପି ଏଜେଂଟଙ୍କୁ ମାଡ ମାରିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ ।