ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରିଛନ୍ତି ଭାଗ ନେଇଥିବା ଲୋକ: ଅନୁସନ୍ଧାନ ପରେ ସାମନାକୁ ଆସିଲା ତଥ୍ୟ

ଧାର୍ମିକ ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦିରୁ ଆସିଥିଲେ ଦୁଇ ହଜାରରୁ ଅଧିକ ପ୍ରତିନିଧି: ଭାଗନେଇଥିବା ଲୋକଙ୍କ ମଧ୍ୟରୁ ୨୪ଜଣ ଆକ୍ରାନ୍ତ, ଏଯାଏଁ ହେଲାଣି ୮ଜଣଙ୍କ ମୃତ୍ୟୁ

22,499

କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରିଛନ୍ତି ଭାଗନେଇଥିବା ଲୋକ । ଅନୁସନ୍ଧାନ ପରେ ସାମନାକୁ ଏହି ତଥ୍ୟ ଆସିଛି । ତେବେ ଓଡିଶାକୁ ଫେରିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ରେଜିଷ୍ଟ୍ରେସନ କରିଛନ୍ତି ନା ନାହିଁ ସେ ନେଇ ସ୍ପଷ୍ଟ ଜଣାପଡିନାହିଁ । ମାର୍ଚ୍ଚ ୧ରୁ ୧୫ ତାରିଖ ନିଜାମୁଦ୍ଦିନ ମସଜିଦରେ ଆୟୋଜିତ ହୋଇଥିଲା ଧାର୍ମିକ ସମାବେଶ ତବଲଗ୍-ଇ-ଜମାତ୍ କାର୍ଯ୍ୟକ୍ରମ।

ଏହି ଧାର୍ମକ ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦିରୁ ଦୁଇ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଭାରତର କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା ସମେତ ବହୁ ରାଜ୍ୟରୁ ଲୋକ ଏଥିରେ ସାମିଲ ହୋଇଥିଲେ । ତେବେ ଏହି ସମାବେଶରେ ଯୋଗ ଦେଇଥିବା ୨୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି । ତେଲେଙ୍ଗାନାର ହାଇଦ୍ରାବାଦରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶ୍ରୀନଗରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷେ ସ୍ଥାନୀୟ ଅଂଚଳର ପ୍ରାୟ ୭ଶହ ଲୋକଙ୍କୁ କ୍ୱାରେଟିନରେ ରଖାଯାଇଥିବାବେଳେ ୩୩୪ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଖପାଖ ଅଂଚଳକୁ ବିଶୋଧନ କରାଯାଇଛି । ଏହି ସମାବେଶରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଏତେ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଜଣାପଡିବା ପରେ ନିଜାମୁଦ୍ଦିନକୁ ଦିଲ୍ଲୀ କରୋନାର କେନ୍ଦ୍ର ସ୍ଥଳ ବୋଲି କୁହାଯାଉଛି ।