ନୂଆ ଭୂତାଣୁ ସମ୍ପର୍କରେ ନୂଆ ତଥ୍ୟ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ : କହିଲା, ପୂର୍ବ ଅପେକ୍ଷା ଅଧିକ ବେଗରେ ବଢୁଛି ସଂକ୍ରମଣ

୪୦ ପ୍ରତିଶତ କ୍ଷେତ୍ରରେ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟାପୁଛି କରୋନା; ନୂଆ ପ୍ରଜାତିରେ ଦେଖାଯାଉଛି ନୂଆ ଲକ୍ଷଣ, ପିଲାମାନେ ବି ହେଉଛନ୍ତି ଆକ୍ରାନ୍ତ

278

କନକ ବ୍ୟୁରୋ : ନୂଆ କରୋନା ଭୂତାଣୁ ସମ୍ପର୍କରେ ଆସିଛି ନୂଆ ତଥ୍ୟ । ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି, ଏହା ପୂର୍ବ ଅପେକ୍ଷା ଖୁବଶୀଘ୍ର ବହୁ ଲୋକଙ୍କୁ ସଂକ୍ରମିତ କରୁଛି । ୪୦ ପ୍ରତିଶତ କ୍ଷେତ୍ରରେ ଏହା ଲକ୍ଷଣ ନଥିବା ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟାପୁଥିବା ଦେଖାଦେଇଛି । ପୂର୍ବରୁ କାଶ ବା ଛିଙ୍କରେ ୬ ଫୁଟ ମଧ୍ୟରେ ଉପସ୍ଥିତ ଥିବା ଲୋକଙ୍କ ମୁହଁ ଉପରେ ପଡିବା ଦ୍ୱାରା ଏହା ବ୍ୟାପୁଥିଲା । କିନ୍ତୁ ଏବେ ବାୟୁମଣ୍ଡଳରେ ଭାସମାନ କଣିକା ଆକାରରେ ଉଡିବୁଲୁଛି । ଫଳରେ ଅଧିକ ଦୂରତ୍ୱରେ ଥିବା ଲୋକଙ୍କୁ ଏବଂ କାଶ ଛିଙ୍କର ବହୁ ସମୟ ପରେ ମଧ୍ୟ ଅନ୍ୟକୁ ସଂକ୍ରମିତ କରୁଛି ।

ଆବଦ୍ଧ କୋଠରୀ ବା ବାୟୁ ଚଳାଚଳ ନଥିବା ପରିବେଶ ମଧ୍ୟରେ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଛି । ରୋଗ ଚିହ୍ନଟ ହେବା ବେଳକୁ କମ ସମୟ ଭିତରେ ଏହା ଗୁରୁତର ଅବସ୍ଥାକୁ ଆସିଯାଉଛି । ଏହି ନୂଆ ପ୍ରଜାତି ପିଲାମାନଙ୍କୁ ମଧ୍ୟ ସଂକ୍ରମିତ କରୁଛି । ଏକ ସମୟରେ ପରିବାରର ଏକାଧିକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଆବଦ୍ଧ କୋଠରି ବା ବାୟୁ ଚଳାଚଳ ନଥିବା ପରିବେଶରୁ ଅଧିକ ସଂକ୍ରମିତ ହେଉଛି । ଏହା ସହ ରୋଗ ଚିହ୍ନଟ ହେବା ବିଳମ୍ବ ହେଉଛି । ଘାତକ ଶକ୍ତି ଅଧିକ ଥିବାରୁ କମ୍ ସମୟ ମଧ୍ୟରେ ଗୁରୁତର ହୋଇ ଯାଉଛନ୍ତି ରୋଗୀ । ଟିକା ନେଇସାରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛି ଲୋକ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମାସ୍କ ପିନ୍ଧୁନଥିବା ବ୍ୟକ୍ତି, ନାକତଳକୁ ପିନ୍ଧୁଥିବା ବ୍ୟକ୍ତିଙ୍କୁ ଖୁବ କମ୍ ସମୟରେ ସଂକ୍ରମଣ ହେଉଛି ।

ମସ୍ତିଷ୍କ, ଫୁସଫୁସ, ଲିଭର, ହାର୍ଟ ଆଦି ଗୁରୁତ୍ୱପୂର୍ଣ୍ôଣ ଅଙ୍ଗ ଆକ୍ରାନ୍ତ ହେବାର ଆଶଙ୍କା ଖୁବ ଅଧିକ ରହିଛି । ହାଲିଆ ଲାଗିବା, ଭୋକ ନହେବା, ଚର୍ମ ରୋଗ ନୂଆ କରି ଦେଖାଦେବା, ଆଖି ଲାଲ ପଡ଼ିବା, ହଠାତ୍ ଅଚେତ ହୋଇପଡିବା, ପେଟରେ ଯନ୍ତ୍ରଣା ହୋଇ ବାନ୍ତି ଓ ପତାଳା ଝାଡ଼ା ହେବା, ଲକ୍ଷଣ ନଥାଇ ଅଣନିଶ୍ୱାସୀ ଲାଗିବା ଆଦି କରୋନାର ନୂଆ ଲକ୍ଷଣ ।