ମୁଖ୍ୟମନ୍ତ୍ରୀ ପଦରେ ନୀତିଶ ରହିବେ ନା ଯିବେ, ଆସ୍ଥା ଭୋଟ ପୂର୍ବରୁ କିଛି ବିଧାୟକଙ୍କ ଫୋନ୍ ସୁଇଚ ଅଫ୍ । ତେଜସ୍ୱୀ କହିଲେ, ଖେଳ ହେବ ।

329

କନକ ବ୍ୟୁରୋ : ବିହାରରେ ଆସ୍ଥା ଭୋଟ୍ । ବହୁମତ ସାବ୍ୟସ୍ତ କରିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆସ୍ଥାଭୋଟ ପୂର୍ବରୁ ବିଧାନସଭାରେ ପହଞ୍ଚିଛନ୍ତି ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଶାସକ ଏବଂ ବିରୋଧୀ ଦଳର ବିଧାୟକ ମଧ୍ୟ ଦଳବଳ ହୋଇ ପହଞ୍ଚିଛନ୍ତି । ଆସ୍ଥାଭୋଟକୁ ଦୃଷ୍ଟିରେ ରଖି ବିଧାନସଭା ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନୀତୀଶ ପଟ ପରିବର୍ତନ କରିବା ପରେ ବିଧାନସଭାରେ ଏନଡିଏ ପାଖରେ ୧୨୮ ବିଧାୟକ ଥିବା ବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ବିଧାୟକଙ୍କ ଆବଶ୍ୟକତା ରହିଛି । ଏଥିରେ ବିଜେପିର ୭୮, ଜେଡିୟୁର ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-ଏସ୍ ର ୪ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ସେହିପରି ମହାମେଣ୍ଟର ୧୧୪ ବିଧାୟକ ଅଛନ୍ତି । ଏଥିରେ ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମପନ୍ଥୀ ଦଳର ୧୬ ବିଧାୟକ ରହିଛନ୍ତି । ସିପିଆଇ(ଏମଏଲ୍)ର ୧୨ ଜଣ ବିଧାୟକ ମଧ୍ୟ ଅଛନ୍ତି । ଜେଡିୟୁ ଏବଂ ବିଜେପି ବିଧାୟକମାନେ ବିଧାନସଭାକୁ ଆସିବା ପୂର୍ବରୁ ପାଟନାରେ ଦୁଇଟି ଭିନ୍ନ ଭିନ୍ନ ହୋଟେଲରେ ରହିଥିଲେ । ସେହିପରି ଆରଜେଡି ଏବଂ କଂଗ୍ରେସ ବିଧାୟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଥିଲେ । ଏନଡିଏ ମେଂଟରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚାର ଶୀର୍ଷ ନେତା ଜିତନରାମ ମାଂଝୀ ନୀତୀଶଙ୍କୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମଙ୍କ ସହ କଥା ହୋଇଛନ୍ତି । ଅନ୍ୟପଟେ ଉଭୟ ଆରଜେଡି ଓ ଜେଡିୟୁରୁ କିଛି ବିଧାୟକଙ୍କ ସହ ସମ୍ପର୍କ ହୋଇପାରୁନଥିବା ସୂଚନା ମିଳିଛି । ତେବେ ଆସ୍ଥା ଭୋଟ ପୂର୍ବରୁ ତେଜସ୍ୱୀ ଯାଦବ କହିଛନ୍ତି, ଖେଳ ହେବ । ଯାହା ବିହାର ରାଜନୀତିକୁ ଆହୁରି ରୋଚକ କରିଛି । ଆସ୍ଥା ଭୋଟ ଶେଷ ନହେବା ପର୍ଯ୍ୟନ୍ତ ବିହାର ରାଜନୀତିରେ କଣ ହେବ ତାହାର ଆକଳନ କରିବା କଷ୍ଟକର ହୋଇପଡିଛି ।