୨୦୧୯ ବିଶ୍ୱକପ ଖେଳିବେ କି ନାହିଁ ଧୋନି ? ଜାଣନ୍ତୁ କଣ କହିଲେ ତାଙ୍କ ଜୀବନୀ ଲେଖକ ଭରତ ସୁର୍ନ୍ଦେସନ

620

କନକ ବ୍ୟୁରୋ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଶରେ କିଏ ବା ନ ଜାଣେ । ଧୋନି ଏମିତି ଏକ ଚେହେରା ଯାହାଙ୍କ ଉପରେ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ ଧୋନୀଙ୍କ ବିଷୟରେ ଏମିତି କିଛି ଅଜଣା କଥା ରହି ଯାଇଛି ଯାହାକୁ ଫିଲ୍ମରେ ମଧ୍ୟ ଦେଖାଯାଇନାହିଁ । ତେବେ ଧୋନିଙ୍କ ବିଷୟରେ କିଛି ଅଜଣା କଥାକୁ ନିଜ ବହି ‘ଦ ଧୋନି ଟଚ’ରେ ସ୍ଥାନ ଦେଇଛନ୍ତି ତାଙ୍କର ଜୀବନୀ ଲେଖିଥିବା ଭରତ ସୁର୍ନ୍ଦେଶନ । ତେବେ କ୍ରିକେଟ ବାଦ୍ ଦେଇ ଧୋନିଙ୍କ ବାବଦରେ ଏମିତି କେଉଁ କଥା ରହିଛି ଯାହା କ୍ରିକେଟପ୍ରେମୀ ମାନେ ଜାଣି ନାହାନ୍ତି । ତାହାକୁ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି ଭରତ ସୁର୍ନ୍ଦେଶନ ।

କ୍ରିକେଟକୁ ବାଦ୍ ଦେଲେ ଧୋନି ଗାଡି ଚଳାଇବାକୁ ବେଶ ପସନ୍ଦ କରନ୍ତି । ଏହାବାଦ ତାଙ୍କର ଇଣ୍ଡିଆନ ଆର୍ମି ପ୍ରତି ମଧ୍ୟ ବେଶ ଦୁର୍ବଳତା ରହିଛି । ଧୋନି ଯେଉଁଭଳି ଭିନ୍ନ ଶୈଳୀରେ କ୍ରିକେଟ ଖେଳନ୍ତି ତାଙ୍କର ବ୍ୟକ୍ତିଗତ ଜୀବନଶୈଳୀ ମଧ୍ୟ ଭିନ୍ନ । ତେବେ ଭାରତୀୟ ଷ୍ଟାର ଏତେ ସହଜରେ କ୍ରିକେଟରେ ସଫଳତା ଲାଭ କରିନାହାନ୍ତି । ଏଥିପାଇଁ ତାଙ୍କୁ ଖୁବ ସଂର୍ଘଷ କରିବାକୁ ପଡିଛି । ଅତି ଛୋଟ ବୟସରୁ କ୍ରିକେଟ ଖେଳିବାକୁ ନିଷ୍ପତି ନେବା ତାଙ୍କୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳର ନେତୃତ୍ୱ ନେବାରେ ସହାୟକ ହୋଇଥିଲା ।

ଏପରିକି ପାଠ ପଢାରେ ବେଶି ନମ୍ବରର ଆଶା ମଧ୍ୟ ରଖୁନଥିଲେ ଧୋନି । କ୍ରିକେଟ ପ୍ରାକ୍ଟିସ ପରେ ଯେତିକି ସମୟ ମିଳୁଥିଲା ସେତିକି ସମୟ ମଧ୍ୟରେ ପାଠ ପଢି ପରୀକ୍ଷା ଦେବାକୁ ଯାଉଥିଲେ ଧୋନି । ଏପରିକି ଧୋନିଙ୍କୁ ସମୟ ଏତେ କମ ପଡୁଥିଲା ଯେ, ତାଙ୍କ ବଡ ଭଉଣୀ ତାଙ୍କର ନୋଟ ଧରି ପଢୁଥିଲେ ଓ ଧୋନି ଶୋଇବା ସମୟରେ ତାହା ଶୁଣି ପରୀକ୍ଷା ଦେବାକୁ ଯାଉଥିଲେ ।

ଏହାଛଡା ଧୋନିଙ୍କ ବିଷୟରେ ଆଉ ଏକ ଅଜଣା କଥା ହେଲା, ସେ ଅଧିକାଂଶ ସମୟ ଫୁଲ ଟି-ସାର୍ଟ ପିନ୍ଧି ଖେଳିଥାନ୍ତି । ଆଉ ଏହା ପଛର କାରଣ ହେଉଛି ଯେତେବେଳେ ସେ ଜାମସେଦପୁରରେ ଖେଳୁଥିଲେ ସେତେବେଳେ ଏତେ ଜୋରରେ ଖରା ହେଉଥିଲା ଯେ ତାଙ୍କର ହାତ ବାଳ ମଧ୍ୟ ପୋଡି ଯାଉଥିଲା । ଯେଉଁଥିପାଇଁ ସେ ସବୁବେଳେ ଫୁଲ ଟି-ସାର୍ଟ ପିନ୍ଧି ଖେଳିଥାନ୍ତି ।

ଏହାଛଡା ବିଜ୍ଞାପନ ଜଗତରେ ମଧ୍ୟ ବଡ ପରିବର୍ତ୍ତନ ଆଣିଛନ୍ତି ଧୋନି । ଅତି ଛୋଟ ଛୋଟ କମ୍ପାନି ପାଇଁ ଧୋନି ବିଜ୍ଞାପନ କରିବା ପଛରେ ମଧ୍ୟ ଏକ କହାଣୀ ରହିଛି । ନୂଆ ନୂଆ ଯେତେବେଳେ ଧୋନି ଖେଳୁଥିଲେ ସେତେବେଳେ ତାଙ୍କୁ ଯେଉଁ ବିଜ୍ଞାପନର ଅଫର ଆସୁଥିଲା ତାହାକୁ ମନା କରୁନଥିଲେ । ଏପରିକି ଫ୍ୟାନ, ସ୍କୁଟର ଭଳି ବିଜ୍ଞାପନରେ ତାଙ୍କୁ ପୂର୍ବରୁ ଦେଖିବାକୁ ମିଳିଛି । ଆଉ ଏହି ଟ୍ରେଣ୍ଡ ଏବେ ମଧ୍ୟ ଚାଲିଛି । ଯେହେତୁ ଧୋନି ମଧ୍ୟବିତ ପରିବାରରୁ ଆସିଛନ୍ତି ତେଣୁ ମଧ୍ୟବିତ୍ତ ପରିବାର ବ୍ୟବହାର କରୁଥିବା ଅଧିକାଂଶ ଜିନିଷର ବିଜ୍ଞାପନ କରିବାକୁ ପଛଘୁଞ୍ଚା ଦେଉନଥିଲେ ଧୋନି ।

ତେବେ ୨୦୧୯ ବିଶ୍ୱକପ ଟିମରେ ଧୋନିଙ୍କୁ ସାମିଲ କରାଯିବ କି ନାହିଁ ତାହା ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ସବୁଠୁ ବଡ ପ୍ରଶ୍ନ । କାରଣ ପୂର୍ବଭଳି ଆଉ ଧୋନିଙ୍କ ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ । ଧୋନିଙ୍କ ବ୍ୟାଟରୁ ବଡ ଇନିଂସ ମଧ୍ୟ ଦେଖିବାକୁ ମିଳୁନାହିଁ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଦଳରୁ ମଧ୍ୟ ବାଦ ଦିଆଯାଇଛି । ଆଉ ଏଭଳି ସ୍ଥିତିରେ ବିଶ୍ୱକପ ଧୋନି ଖେଳିବେ କି ନାହିଁ ତାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏନେଇ ଭରତ କହିଛନ୍ତି, ତାଙ୍କ ହିସାବରେ ଧୋନି ୨୦୧୯ ବିଶ୍ୱକପ ଖେଳିପାରନ୍ତି । ଧୋନିଙ୍କ ବ୍ୟାଟରୁ ରନ ଆସୁନାହିଁ ସତ କିନ୍ତୁ ୱିକେଟ ପଛରେ ତାଙ୍କର ପ୍ରଦର୍ଶନ ନିଶ୍ଚିତ ଭାବେ ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ । ଏହାଛଡା ବିଶ୍ୱକପକୁ ଆଉ ଅଳ୍ପ କିଛି ଦିନ ବାକି ଥିବା ବେଳେ ନୂଆ ଖେଳାଳିଙ୍କୁ ସାମିଲ କରିବା ନେଇ ଚିନ୍ତା ନ କରି ପାରନ୍ତି ଚୟନକର୍ତ୍ତା । ତେଣୁ ୨୦୧୯ ବିଶ୍ୱକପ ଖେଳିପାରନ୍ତି ଧୋନି । ଏହାଛଡା ଏହା ତାଙ୍କର ଶେଷ ବିଶ୍ୱକପ ମଧ୍ୟ ହୋଇପାରେ ବୋଲି କହିଛନ୍ତି ଭରତ ସୁର୍ନ୍ଦେସନ ।