ଓଡିଶାର ୪୫ତମ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ । ଜାଣନ୍ତୁ ତାଙ୍କ ବାବଦରେ ପୁରା ତଥ୍ୟ

84

କନକ ବ୍ୟୁରୋ : ଓଡିଶାର ରାଜ୍ୟପାଳ ଆଜି ଭାବେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ପ୍ରଫେସର ଗଣେଶୀ ଲାଲ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ଶରଣ ଗଣେଶୀ ଲାଲଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହ ଓଡିଶାର ନବନିଯୁକ୍ତ ରାଜ୍ୟପାଳଭାବେ ଗାଦି ସମ୍ଭାଳିବା ପରେ ତାଙ୍କୁ ସନ୍ଧ୍ୟାରେ ରାଜଭବନ ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି ।ଗଣେଶୀ ଲାଲଙ୍କ ବିଷୟରେ ଅଧିକାଂଶ ଓଡ଼ିଶାବାସୀ ହୁଏତ ଜାଣିନଥିବେ ।ଆସନ୍ତୁ ଜାଣିବା ଗଣେଶୀ ଲାଲଙ୍କ ବିଷୟରେ କିଛି ଅଜଣା କଥା ।

ଗଣେଶୀ ଲାଲ ହେଉଛନ୍ତି ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର କାର୍ଯ୍ୟକାରୀ ସଦସ୍ୟ । ଏବଂ ବିଶେଷ କରି (ଆରଏସଏସ)ରେ ଯୋଗ ଦେବା ପୂର୍ବରୁ ସେ ଗଣିତ ପ୍ରଫେସର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ୧୯୯୬ ମସିହାରୁ ୨୦୦୦ ପର୍ଯ୍ୟନ୍ତ ହରିୟାଣାରେ ହୋଇଥିବା ଏଚଭିପି ଓ ବିଜେପି ମେଣ୍ଟ ସରକାରରେ ପ୍ରଥମଥର ପାଇଁ ବିଧାନସଭା ପାର୍ଥୀ ଭାବେ ଦାୟିତ୍ୱ ଭାର ତୁଲାଇବା ସହ ହରିୟାଣାର ମୁଖ୍ୟମନ୍ତ୍ରୀ ବଶୀଂଲାଲଙ୍କ ସମୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଗଣେଶୀ ଲାଲ । ଏହାସହ ହରିୟାଣା ବିଜେପି ଶାଖାର ସଭାପତି ଦାୟିତ୍ୱ ମଧ୍ୟ ସେ ନିର୍ବାହ କରିଛନ୍ତି ।

ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୫ ତାରିଖ ଦିନ ତାଙ୍କୁ ଓଡିଶାର ରାଜ୍ୟପାଳ ଭାବେ ମନୋନୀତ କରିଥିଲେ । ଗତ ମାର୍ଚ୍ଚମାସରେ ଓଡିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସ.ସି ଜମୀରଙ୍କର କାର୍ଯ୍ୟଅବଧି ଶେଷ ହୋଇଯିବା ପରେ ତାଙ୍କ ପଦବୀ ଖାଲି ପଡିଥିଲା । ତେବେ ବିହାରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଅତିରିକ୍ତ ରାଜ୍ୟପାଳ ଓଡିଶା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଆଜି ସକାଳେ ଭୁବନେଶ୍ୱରରେ ପହଁଚିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଗଣେଶୀ ଲାଲ । ଶପଥ ନେବା ପୂର୍ବରୁ ଗଣେଶୀ ଲାଲ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ସମ୍ବିଧାନର ଆଇନ ମୁତାବକ ଦାୟିତ୍ୱ ନିର୍ବାହ କରିବି । ଏପରକିି କିଏ କେଉଁ ସ୍ଥାନରୁ ଆସିଛନ୍ତି ତାହା ଉପରେ ଗୁରୁତ୍ୱାରୋପ ନ କରି ନ୍ୟାୟୋଚିତ ଭାବେ ଦାୟିତ୍ୱ ତୁଲାଇବା ପାଇ ପ୍ରତିଶ୍ରୁତିବଦ୍ଧ ରହିବା ଆବଶ୍ୟକ । ଏହାସହ ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବିଚାର ବିମର୍ଶ କରିବା ସହ ସୁଶାସନକୁ ସେ ପ୍ରାଥମିକତା ଦେବେ ବୋଲି କହିଥିଲେ ।