ଘନ ଅନ୍ଧାର ଥିଲା, କିନ୍ତୁ ଭୟ ଲାଗୁନଥିଲା ! ରତ୍ନଭଣ୍ଡାର ଭିତରେ କେମିତି ଥିଲା ପରିବେଶ, ଅନୁଭୂତି ବଖାଣିଲେ ପୂର୍ବତନ ଅଧିକାରୀ

104

କନକ ବ୍ୟୁରୋ : ଏପ୍ରିଲ ୪ ତଥା ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତ । ଏକବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଖୋଲାଯିବାକୁ ଯାଉଛି ରତ୍ନଭଣ୍ଡାର । ତେବେ ଏହା ପୂର୍ବରୁ ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ଅଲୌକିକ ଘଟଣା ବା ଲୋକକଥା ସାମ୍ନାକୁ ଆସିଛି । ଏପରିକି ଇଂରେଜ ଶାସନ ସମୟରେ ଜଣେ ଜିଲ୍ଲାପାଳ ଭଣ୍ଡାର ଗୃହ ଖୋଲିବାକୁ ନିଷ୍ପତି ନେଇ କିଭିଳି ହଇରାଣ ହୋଇଥିଲେ ସେ ନେଇ ମଧ୍ୟ ଲୋକକଥା ରହିଛି । ଯାହା ରତ୍ନଭଣ୍ଡାରକୁ ଆହୁରି ରହସ୍ୟମୟ କରିଛି । ତେବେ ବାସ୍ତବରେ ରତ୍ନଭଣ୍ଡାର ଘରକୁ ଗଲେ କଣ ହୁଏ ତାହାର ଅନୁଭୂତି ଭଣ୍ଡାର ଗୃହ ଭିତରକୁ ଯିଏ ଯାଇଛି ସେ ହିଁ ଜାଣିଛି ।

୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସେତେବେଳର ଶ୍ରୀମନ୍ଦିର ସହଯୋଗୀ ପ୍ରଶାସକ ଥିବା ରବୀନ୍ଦ୍ର ନାରାୟଣ ମିଶ୍ର ଭଣ୍ଡାର ଘରକୁ ଯାଇଥିଲେ । ଆଉ ସେ କନକ ନ୍ୟୁଜରେ ରତ୍ନଭଣ୍ଡାର ଭିତରର ଯେଉଁ ଅନୁଭୂତି ବଖାଣିଥିଲେ ତାହା ବେଶ ରୋମାଞ୍ଚକର ।

RATNA BHANDARରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ, ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ଗଜପତି ମହାରାଜଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପରିଚାଳନା କମିଟିର ସେବକଙ୍କ ସମେତ ସେ ସ୍ଥାନ ପାଇଥିଲେ । ଅନ୍ଧାରୁଆ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ବଡ ଦୀପର ସାହାର୍ଯ୍ୟ ନେଇଥିଲେ । ଦୀପ ଆଲୁଅରେ ଯାହା ଦେଖିଥିଲେ ତାହା ତାଙ୍କୁ ବିସ୍ମିତ କରିଥିଲା । ଦୀପ ଆଲୁଅରେ ସ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଅଳଙ୍କାର ସଂଗ୍ରହ କରିଥିଲେ । କିନ୍ତୁ କୌଣସି ଇଲେକଟ୍ରିକ ସରଞ୍ଜାମ ଭିତରକୁ ନେଇ ନଥିବା କହିଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । କିନ୍ତୁ ଦୀପରେ ଆଲୁଅରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଦେଖି ସେ ଅଭିଭୂତ ହୋଇଯାଇଥିଲେ । ସବୁ ସିନ୍ଦୁକ ଖୋଲିନଥିଲେ ମଧ୍ୟ ଯେତିକି ସିନ୍ଦୁକ ଖୋଲାଯାଇଥିଲା ସେଥିରେ ବିଭିନ୍ନ ଦୁମୂଲ୍ୟ ଅଳଙ୍କାର ରହିଥିଲା । ଏପରି କଦଳୀ ଭଣ୍ଡା ଭଳି କୁଣ୍ଡଳ ଓ ଏକ ହାତ ଲମ୍ବର ଚିତା ଦେଖିବା ପରେ ସେ ସମ୍ଭୀଭୂତ ହୋଇଯାଇଥିଲେ । ଏହାର ନିର୍ମାଣ ଶୈଳୀ ଦେଖି ସେ ଚମକି ପଡିଥିଲେ । ଏହାସହ ଏହି ଅଳଙ୍କାରରେ ପ୍ରଭୁ କିଭଳି ଦେଖା ଯାଉଥିବେ ତାହା କଳ୍ପନା ଚକ୍ଷୁରେ ଦେଖି ସେ ବେଶ ଆନନ୍ଦିତ ହୋଇଥିଲେ ।

ପ୍ରଥମ ଭଣ୍ଡାର ଘରେ କେବଳ ମହାପ୍ରଭୂୁଙ୍କ ବେଶ ଓ ନୀତିକାନ୍ତି ପାଇଁ ଅଳଙ୍କାର ରହିଥିବା ବେଳେ ଭିତର ଭଣ୍ଡାରରେ ଅନେକ ସୁନା,ହୀରା, ମଣି, ମୁକ୍ତା ଭଳି ଦୁମୂଲ୍ୟ ଅଳଙ୍କାର ରହିଛି । କିନ୍ତୁ ସବୁ ସିନ୍ଦୁକ ଖୋଲିବାକୁ ତାଙ୍କୁ ଅଧିକାର ଦିଆ ଯାଇନଥିବାରୁ ସେ ଅଳ୍ପ କିଛି ସିନ୍ଦୁକ ଖୋଲି ମହାପ୍ରଭୁଙ୍କ ଅଳଙ୍କାର ପାଇଁ ଆବଶ୍ୟକ ସୁନା ନେଇ ସେଠାରୁ ଚାଲିଆସିଥିଲେ । ତେବେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ତାଙ୍କୁ ଆଦୌ ଭୟ ଲାଗୁନଥିଲା ବୋଲି ସେ କହିଛନ୍ତି । ବରଂ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯିବା ବେଳେ ସେ ବେଶ ଆନନ୍ଦିତ ହୋଇଥିଲେ । ଯେଉଁମାନେ କୌଣସି ଅପରାଧିକ କାର୍ଯ୍ୟ ପାଇଁ ପ୍ରଭୁଙ୍କ ରତ୍ନଭଣ୍ଡାରରେ ଯାଇଥାନ୍ତି ସେମାନଙ୍କୁ ଭୟ ଲାଗିଥାଏ । ଯେହେତୁ ସେ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ତେଣୁ ସେଭଳି ଭୟ ତାଙ୍କ ମନରେ ନଥିଲା । ତେବେ ରତ୍ନଭଣ୍ଡାର ଘରର ଅଭୁଲା ଅନୁଭୂତି ଭାବିଲେ ତାଙ୍କ ଦେହରେ ସୃଷ୍ଟି ହୋଇଥାଏ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଛନ୍ତି ।