କନକ ବ୍ୟୁରୋ : ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଯିବା ଦିନ ଓ ଆସିବା ଦିନକୁ ବାଦ୍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି । ତେବେ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ଚାରି ଦାରୁଦେବତା ଓ ତିନି ଉତ୍ସବ ଦେବତା ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ପୂଜିତ ହେବାବେଳେ, ତିନି ଧ୍ୱଜଦେବତା ତିନି ରଥରେ ହିଁ ରହିଥାଆନ୍ତି । ସେତେବେଳେ ରଥରେ ପ୍ରତିଦିନ ସେମାନଙ୍କୁ ଭୋଗ ଲଗାଯାଇଥାଏ ।
/kanak/media/post_attachments/wp-content/uploads/2019/07/Gundicha-Gundichodi_Ratha-Katha_Thumbnail-1-750x430.jpg)
/kanak/media/post_attachments/wp-content/uploads/2019/07/Pahandire-Jagannath1-750x430.jpg)
/kanak/media/post_attachments/wp-content/uploads/2019/07/Ratha-Katha_Asit-Mohanty_Design_2-5.jpg)
ବିଶିଷ୍ଟ ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଏକଦା ଗୋଟିଏ ଲେଖାରେ କହିଥିଲେ, ଦକ୍ଷିଣ ଭାରତରେ ଥିଲା ‘ଚୋଡ଼’ ରାଜବଂଶ । ସେହି ରାଜବଂଶର ଜଣେ ରାଜକୁମାରୀ ଥିଲେ ‘ଗୁଣ୍ଡି-ଚୋଡ଼ି’ । ମହାରାଜା ଚୋଡ଼ଗଙ୍ଗଦେବ ତାଙ୍କୁ ବିବାହ କରିଥିଲେ । ତାଙ୍କ ନାମ ଅନୁସାରେ ‘ଗୁଣ୍ଡିଚା’ ହୋଇଛି । କିନ୍ତୁ ପରେ ସେ ଏ ନେଇ ସଂଶୟ ପ୍ରକାଶ କଲେ । କହିଲେ, ଏ ସଂପର୍କରେ ଅଧିକ ଗବେଷଣା ଦରକାର । ସାରଳା ଦାସ ଓଡ଼ିଆ ଭାଷାର ଆଦିକବି । ତାଙ୍କ ‘ମହାଭାରତ’ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ ‘ଗୁଣ୍ଡିଚା’ ବୋଲି ଲେଖା ନାହିଁ । ତାଙ୍କ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା ‘ଗୁଣ୍ଡକେରୀ’ । କେତେକ ‘ମହାଭାରତ’ ପୋଥିରେ ତାଙ୍କ ନାଆ ‘ଗୁଣ୍ଡମତୀ’ ବୋଲି ମଧ୍ୟ ଲେଖାଅଛି । କିନ୍ତୁ ‘ଦାଣ୍ଡି ରାମାୟଣ’ର ରଚୟିତା ବଳରାମ ଦାସ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ‘ଗୁଣ୍ଡିଚା’ ବୋଲି ଲେଖିଛନ୍ତି ।
ଏସବୁରୁ ଜଣାଯାଏ, ସାରଳା ଦାସ ‘ମହାଭାରତ’ ରଚନା କଲାବେଳକୁ ‘ଗୁଣ୍ଡିଚାରାଣୀ’ କିଂବଦନ୍ତିର ସୃଷ୍ଟି ହୋଇ ନଥିଲା । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାଆଁ ବି ‘ଗୁଣ୍ଡିଚାଯାତ୍ରା’ ନଥିଲା । ଏହି କିଂବଦନ୍ତି ବଳରାମ ଦାସଙ୍କ ସମୟକୁ ସୃଷ୍ଟି ହେଲା । ‘ଦେଉଳତୋଳା’ ପୋଥିମାନ ଏହି ଧାରଣାକୁ ସୁଦୃଢ଼ କଲା ।
ତେବେ ‘ମାଦଳା ପାଞ୍ଜି’ରୁ ଏ ସଂପର୍କରେ ଗୋଟିଏ ମୂଲ୍ୟବାନ ସୂଚନା ମିଳେ । ସେଥିରୁ ଜଣାଯାଏ ଯେ ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ବେଳକୁ ‘ଗୁଣ୍ଡିଚାଘର’ଠାରେ ଗୋଟିଏ ‘କାଠମଣ୍ଡପ’ ଥିଲା । ଶ୍ରୀଜଗନ୍ନାଥାଦି ଦେବତା ଯାଇ ସେହି କାଠମଣ୍ଡପରେ ବିଜେ ହେଉଥିଲେ । ଏହି ରାଜା ସେହି କାଠମଣ୍ଡପକୁ ‘ପଥର ମଣ୍ଡପ’ କଲେ ।
ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ‘ଖୁରୁଧା ଇତିହାସ’ରେ ଏ ସଂପର୍କରେ ଆଉ ଗୋଟିଏ ସୂଚନା ଦେଇଛନ୍ତି । ସେ କହିଛନ୍ତି- ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ତାହା ପରେ ‘ଗୁଣ୍ଡିଚା ଯାତ୍ରା’ ହେଲା । ଏ ସଂପର୍କରେ ଆହୁରି ବହୁ ଦିଗରୁ ମଧ୍ୟ ଆଲୋଚନା ହୋଇଛି । ସେସବୁରୁ ସ୍ପଷ୍ଟ ହୁଏ ଯେ ଏହି ଯାତ୍ରା ଶ୍ରୀଜଗନ୍ନାଥଙ୍କର ଏକ ପ୍ରାଚୀନ ଯାତ୍ରା । ଏହାର ନାମ ମଧ୍ୟ ‘ଗୁଣ୍ଡିଚା’ ଯାତ୍ରା । କିନ୍ତୁ ‘ଗୁଣ୍ଡିଚା’, ‘ଗୁଣ୍ଡି-ଚୋଡ଼ି’, ‘ଗୁଣ୍ଡକେରୀ’ ବା ‘ଗୁଣ୍ଡମତୀ’- କେଉଁ ରାଣୀଙ୍କ ନାଆଁ ଅନୁସାରେ ଏହି ଯାତ୍ରାର ନାମ ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବରେ କହିହୁଏ ନାହିଁ । କିନ୍ତୁ ‘ଦେଉଳ ତୋଳା’ କିଂବଦନ୍ତି ଏତେ ଲୋକପ୍ରିୟ ହୋଇଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ‘ଗୁଣ୍ଡିଚା’ ଥିଲା ଏବଂ ସେ ହିଁ ‘ଗୁଣ୍ଡିଚା ମନ୍ଦିର’ ନିର୍ମାଣ କରିଥିଲେ ବୋଲି ଲୋକେ ବିଶ୍ୱାସ କରିଆସିଛନ୍ତି ।