ଚାଷୀ ଆନ୍ଦୋଳନରେ ନୂଆ ମୋଡ । ଆନ୍ଦୋଳନରୁ ଓହରିଲେଣି କିଛି କୃଷକ ସଂଗଠନ । ଚାଷୀ ନେତା କହିଲେ, ଦେଶକୁ ବଦନାମ କରିବା ତାଙ୍କର ଉଦେଶ୍ୟ ନଥିଲା, ଏଭଳି ଚାଲିବନି ଆନ୍ଦୋଳନ । 

378

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି । ସମ୍ୟୁକ୍ତ କିଷାନ ମୋର୍ଚ୍ଚା ନାମକ ଏକ ସଂଗଠନ ବୈଠକ କରି କହିଛି, ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଥିବା ସଂଗଠନ ଠାରୁ ଆମେ ଦୂରେଇ ରହିବୁ । ଘଟଣାରେ ୨୨ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ଶହରୁ ଅଧିକ ଜଣଙ୍କୁ ପୁଲିସ ଅଟକ ରଖିଛି । ଏବଂ ୩ଶହରୁ ଅଧିକ ଲୋକ ଏହି ହିଂସାକାଣ୍ଡରେ ଆହତ ହୋଇଛନ୍ତି ।

ଆନ୍ଦୋଳନ ଆଳରେ ଅରାଜକତାର ଏଭଳି ଚିତ୍ର ଯଦି ସାମ୍ନାକୁ ଆସିବ, ତେବେ ଆନ୍ଦୋଳନର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ଯେକେହି ବି ସନ୍ଦେହ କରିବ । ଆଉ ଏହି ସହେନ୍ଦ କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ରହିନାହିଁ, ଆନ୍ଦୋଳନ କରୁଥିବା କିଛି କୃଷକ ସଂଗଠନ ବି ଏହାକୁ ନେଇ ସନ୍ଦେହ କରୁଛନ୍ତି । ହୁଏତ, ସେଇଥି ପାଇଁ, ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନରୁ ଓହରି ଯାଇଛି ଭାରତୀୟ କିଷାନ ୟୁନିୟନ ଏବଂ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ।

ଦେଶକୁ ଅପମାନିତ କରିବା ଏବଂ ଗଣତନ୍ତ୍ର ଦିବସକୁ ଅପମାନିତ କରିବାକୁ ଚାଷୀ ଆସିନଥିଲେ । କିନ୍ତୁ କିଛି ଲୋକଙ୍କ ଲକ୍ଷ୍ୟ ଭିନ୍ନ । ଏଭଳି କହି, ଆନ୍ଦୋଳନରୁ ଓହରି ଯାଇଛି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ । ସେହିପରି ଭାରତୀୟ କିଷାନ ୟୁନିୟନ ମଧ୍ୟ ଆନ୍ଦୋଳନରୁ ଓହରି ଯାଇଛି । ଆଉ ଏପଟେ ଦିଲ୍ଲୀ ହିଂସାକାଣ୍ଡ ପଛର ଚେହେରାକୁ ସାମ୍ନାକୁ ଆଣିବାକୁ ଆକ୍ସନ ମୋଡ଼କୁ ଆସିଯାଇଛି ଦିଲ୍ଲୀ ପୁଲିସ୍ । ହିଂସାକାଣ୍ଡକୁ ନେଇ ୨୨ରୁ ଅଧିକ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଏଥିରେ ୨୦୦ରୁ ଅଧିକ ଜଣଙ୍କ ନାଁ ରହିଛି । ରାକେଶ ଟିକାୟତ, ବୁଟା ସିଂ ସମେତ ୬ଜଣ ବଡ଼ ବଡ଼ ଚାଷୀ ନେତାଙ୍କ ନାଁ ଏତଲାରେ ରହିଛି । ସୁରକ୍ଷା କାରଣରୁ ୫୫୦ ଟ୍ୱିଟର ଆକାଉଂଟ ସସପେଣ୍ଡ କରାଯାଇଛି । ହିଂସାକାଣ୍ଡରେ ୩ଶହ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ।

ଏପଟେ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି କହିଛି ଲାଲକିଲ୍ଲା ଘଟଣା ଆନ୍ଦୋଳନର ଅସଲ ମୁଖା ଖୋଲି ଦେଇଛି । କଂଗ୍ରେସ ପୂରା ଘଟଣା ପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରିଛି । ସେପଟେ ଆରଜେଡି ଏହାର ତଦନ୍ତ ସହ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯୋଜନା କଥା କହି କେନ୍ଦ୍ରକୁ ଘେରିବାକୁ ଉଦ୍ୟମ କରିଛି ।

ଘଟଣା ପରେ ନିଜେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଲାଲକିଲ୍ଲାର କ୍ଷୟକ୍ଷତି ବୁଲି ଦେଖିବା ସହ ରିପୋର୍ଟ ମାଗିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଗୃହମନ୍ତ୍ରାଳୟକୁ ପଠାଇ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏସବୁ ଭିତରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନର ରୂପରେଖ ଆଗକୁ କ’ଣ ହେବ ତାହା ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଉଥିବା ଚାଷୀ ସଂଗଠନ ହିଁ କହିପାରିବେ । ହେଲେ, ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ସାରାଦେଶରେ ଅନେକ ପ୍ରଶ୍ନ ଉଠୁଛି ।