କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲାସ୍ତରରେ ଅଡିଟ୍ ହେବାପରେ ଦିଆଯାଉଛି ହିସାବ ।

287

କନକ ବ୍ୟୁରୋ : ପ୍ରତିଦିନ କରୋନାଜନିତ ମୃତ୍ୟୁର ଯେଉଁ ସଂଖ୍ୟା ପ୍ରକାଶ ପାଉଥିଲା, ତାହା ପ୍ରକୃତରେ ୨୪ ଘଂଟା ଭିତରେ ହୋଇଥିବା ମୃତ୍ୟୁ ନଥିଲା । ଜିଲ୍ଲାସ୍ତରରେ ଅଡିଟ୍ ହେବା ପରେ ସରକାର ହିସାବ କିତାବ କରି ମୃତ୍ୟୁର ତାଲିକା ଦୈନିକ ପ୍ରକାଶ କରୁଥିଲେ । ଯାହା ପ୍ରତିଦିନର କରୋନା ମୃତ୍ୟୁ ଭାବେ ସମସ୍ତେ ଭାବୁଥିଲେ ।

କିନ୍ତ ଯେତେବେଳେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଲା, ହେଲେ ମୃତ୍ୟୁ ସଂଖ୍ୟା କମିଲା ନାହିଁ । ସେତେବେଳେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା । କାହିଁକି ମୃତ୍ୟୁ କମୁନାହିଁ, ଏହି ପ୍ରଶ୍ନ ବାରମ୍ବାର ଉଠିବା ପରେ ଆଜି ସ୍ପଷ୍ଟିକରଣ ରଖିଛନ୍ତି ସରକାର । କହିଛନ୍ତି, ଜିଲ୍ଲାସ୍ତରରେ ଅଡିଟ୍ ହେବା ପରେ ଏହି ହିସାବ ଦିଆଯାଉଛି । ଅର୍ଥାତ୍ ଏହି ମୃତ୍ୟୁ କିଛି ମାସ ତଳର ବି ହୋଇପାରେ । ଏହା କିଛିଟା ଆଶ୍ୱସ୍ତିକର ଖବର ମଧ୍ୟ ।

କରୋନା ମୃତ୍ୟୁ 

ମାସ      ସଂକ୍ରମଣ    ମୃତ୍ୟୁ

ଜୁଲାଇ ୧      ୩,୦୮୭           ୪୫

ଜୁଲାଇ ୨      ୩,୨୨୨    ୪୬

ଜୁଲାଇ ୩       ୨,୯୧୭    ୪୫

ଜୁଲାଇ ୪      ୨,୮୭୦     ୪୨

ଜୁଲାଇ ୫      ୨,୮୦୩            ୫୨

ଏ ହେଉଛି ଜୁଲାଇ ମାସ ପ୍ରଥମ ୫ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତାଲିକା । ମୋଟ ୧୪ ହଜାର ୮୯୯ ପଜିଟିଭ୍ ମାମଲା ଆସିଥିବା ବେଳେ ୨୩୦ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଆପଣ ଭାବନ୍ତୁ ନାହିଁ ଯେ ଜୁଲାଇ ମାସର ପ୍ରଥମ ୫ ଦିନରେ କରୋନାରେ ୨୩୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସରକାର ସ୍ପଷ୍ଟ କରିଛନ୍ତି, ପ୍ରତିଦିନ ଯେଉଁ ମୃତ୍ୟୁସଂଖ୍ୟା ଆସୁଛି, ତାହା ରିୟଲ ଟାଇମ ମୃତ୍ୟୁର ହିସାବ ନୁହେଁ ।

ସେହିପରି ସ୍ୱାସ୍ଥ୍ୟ ନିଦ୍ଦେର୍ଶକ କହିଛନ୍ତି, ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଏମିତି କିଛି ଦିନ ରହିବ । ଜିଲ୍ଲା ସ୍ତରରୁ ଅଡିଟ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ହିସାବ କରାଯାଇପାରିବ । ଏବେ ରାଜ୍ୟରେ ପ୍ରାୟ ୪୫୦ ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ ଅଛନ୍ତି । ପାଖାପାଖି ୬୦ ରୋଗୀ ଭେଂଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ରୋଗୀ ଥିବା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ସେମିତି ରହିବ ।

ସେପଟେ ରାଜ୍ୟରେ ଆଗକୁ ସଂକ୍ରମଣ ଆହୁରି ହ୍ରାସ ପାଇବ ବୋଲି କହିଛନ୍ତି ଡିଏମଇଟି । ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଯେଉଁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେସବୁ ଜିଲ୍ଲାରେ ଧୀରେ ଧୀରେ କମିବ । ତେବେ ସବୁଠୁ ବଡ଼ କଥା ହେଉଛି, କରୋନା ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟିକରଣ ପରେ କିଛିଟା ଆଶ୍ୱସ୍ତି ଆସିଛି । କାରଣ, ପ୍ରତିଦିନ ପ୍ରକାଶ ପାଉଥିବା ମୃତ୍ୟୁ ସଂଖ୍ୟା ଏବେକାର ନୁହେଁ, ପୁରୁଣା ମୃତ୍ୟୁର ଅଡିଟ ହେବା ପରେ ଏହି ହିସାବ ଦେଉଛନ୍ତି ସରକାର ।