କନକ ବ୍ୟୁରୋ : ଖୋର୍ଦ୍ଧା ସବଜେଲରେ ରାତି କାଟିଲେ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ । ଅୟସ ଆରାମରେ ରାଜଧାନୀରେ ରହୁଥିବା ଗୁରୁଜୀ ଶେଷରେ ଜେଲରେ ଚାରିକାନ୍ଥ ଭିତରେ ରାତି କାଟିଛନ୍ତି । କୋଭିଡ୍ ସମୟ ହୋଇଥିବାରୁ ବାପ ପୁଅଙ୍କୁ ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ବାପା-ପୁଅଙ୍କୁ ପ୍ରଥମ ରାତିରେ ରୁଟି, ତରକାରୀ ଦିଆଯାଇଥିଲା । ଆଉ ଦିଆଯାଇଥିବା ଖାଦ୍ୟ ଖାଇଥିବା ସୂଚନା ମିଳିଛି । ତେବେ ଜେଲକୁ ଯିବା ପରେ ଗୁରୁଜୀ ଚୁପଚାପ ରହିଥିବା ଜଣାପଡିଛି ।
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଥିଲେ । ଗିରଫ ପରେ ବାପ-ପୁଅଙ୍କୁ ଭର୍ଚୁଆଲ ମୋଡରେ ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ହାଜର କରାଇଥିଲା ପୁଲିସ । ତେବେ ବାପ-ପୁଅଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିନାହିଁ । ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧିରେ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିପାରେ । ବେଗୁନିଆ ଅଂଚଳର ସତ୍ୟ ନାୟକଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଆପାତତଃ ପ୍ରମାଣ ମିଳିବା ପରେ ଭୁବନେଶ୍ୱରରୁ ମାନସ ଓ ମନୋରଂଜନଙ୍କୁ ଗିରଫ କରିଥିଲା ପୁଲିସ । ଏହାପରେ ମାନସଙ୍କୁ ଖୋର୍ଦ୍ଧା ଜଙ୍କିଆ ଥାନାକୁ ନିଆଯାଇଥିଲା । ଏହାପରେ ଥାନାରୁ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଭର୍ଚୁଆଲ ମୋଡରେ କୋର୍ଟରେ ହାଜର କରିଥିଲା ଖୋର୍ଦ୍ଧା ପୁଲିସ । କୋର୍ଟ ଜେଲକୁ ପଠାଇ ଦେଇଛନ୍ତି ।