ଆସୁଛି ଘୋଷ ଯାତ୍ରା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଜିଉଙ୍କ ରଥ ପାଇଁ ସୋଲଫୁଲ ତିଆରିରେ ବ୍ୟସ୍ତ କାରିଗର ।

ବିନା ପାରିଶ୍ରମିକରେ ମହାପ୍ରଭୁଙ୍କ ପାଇଁ ଫୁଲ ଗୁନ୍ଥା କାମରେ ଲାଗିପଡିଛନ୍ତି ପିଲାରୁ ବଡ ସମସ୍ତେ

295

କନକ ବ୍ୟୁରୋ: ଆସୁଛି ଘୋଷ ଯାତ୍ରା । ଚଳଚଂଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ରଥ ତିଆରି କାର୍ଯ୍ୟ ସରିବାକୁ ଥିବା ବେଳେ ରଥରେ ତିଆରି ସୋଲ ଫୁଲ ତିଆରି ମଧ୍ୟ କାରିଗର ବ୍ୟସ୍ତଥିବା ଦେଖିବାକୁ ମିଳିଛି । ଆଜିକୁ ୧୫ ବର୍ଷ ଧରି କାଳିଆର ଘୋଷଯାତ୍ରାରେ ୩ ରଥ ପାଇଁ ସୋଲଫୁଲ ଯୋଗାଇ ଦେଇ ଆସୁଛନ୍ତି କାରିଗର । ପାରିଶ୍ରମିକ ମିଳୁନଥିଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ଓ ସେବା ସେମାନଙ୍କ ପାଇଁ ଏସବୁ କରିଥାନ୍ତି କାରିଗର ।

ସୋଲ ଫୁଲ ତିଆରିରେ ବ୍ୟସ୍ତ କାରିଗର । ଏହି ସୋଲରେ ତିଆରି ଫୁଲ ଲାଗିବ ମହାପ୍ରଭଙ୍କୁ ରଥରେ । ପରିବାରର ଛୋଟରୁ ବଡ଼ ସମସ୍ତେ ଲାଗିଛନ୍ତି ମହାପ୍ରଭୁଙ୍କ ପାଇଁ ଫୁଲ ଗୁନ୍ଥା କାର୍ଯ୍ୟରେ । ସୋଲରେ ତିଆରି ଚୁମୁକି ଲଗା କେତକୀ ଓ କଦମ୍ବ ଫୁଲକୁ ବେଶ ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର କାରିଗର । ଘର ସାରା ସୁନ୍ଦର ସୁନ୍ଦର ସୋଲଫୁଲ ରଖାଯାଇଛି, ଯାହା ଲାଗିବ କାଳିଆ ସାଆନ୍ତ ରଥରେ । ଏପରିକି ସୋଲରେ ଟାହିଆ ମଧ୍ୟ ପ୍ରସ୍ତୁତ ହୋଇଛି । ଯାହା ଅନ୍ୟ ସ୍ଥାନରେ ହେଉଥିବା ରଥଯାତ୍ରାରେ ଦିନ ତିନି ଠାକୁରଙ୍କ ମଥାରେ ଶୋଭାପାଏ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଫୁଲ କାମ ନେତ୍ର ଉତ୍ସବରେ ଶେଷ ହୋଇଥାଏ ।

୧୫ ବର୍ଷ ଧରି ମହାପଭୁଙ୍କ ଏହି ସେବାରେ ଲାଗିଛନ୍ତି କାରିଗର । ବର୍ଷ ତମାମ୍ କାକଟପୁର, ଗୋପ, ନିମାପଡା ଓ କୋଣାର୍କରୁ ସୋଲ ସଂଗ୍ରହ କରିଥାନ୍ତି କାରିଗର ପରିବାର । ୨୦୦୧ ମସିହାରେ କାରିଗର ପରିବାର ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିଲେ ସେହି ସମୟରେ ରଥରେ ଲାଗିଥିବା ଫୁଲ ପ୍ରସ୍ତୁତ କରିବା ପାଇଁ ମନ ବଳାଇଥିଲେ କାରିଗର । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲେ । ଏବଂ ୨୦୦୪ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ରଥରେ ଫୁଲ ଲାଗି ପାଇଁ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର କାରିଗରଙ୍କୁ ଅନୁମତି ମିଳିଥିଲା । ତେବେ ୧୫ ବର୍ଷ ଧରି ଶ୍ରୀଜିଉଙ୍କ ରଥ ପାଇଁ ସୋଲଫୁଲ ତିଆରି କରି ନିଜକୁ ଧନ୍ୟ ମନେ କରନ୍ତି ବୋଲି କୁହନ୍ତି ଏହି କାରିଗର ପରିବାର ।