ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ତିନି ସାଙ୍ଗ ! ପୁରୁଣା ଜିନ୍ସରେ ପ୍ରସ୍ତୁତ ହେଉଛି ପିଲାଙ୍କ ସ୍କୁଲ୍ ସାମଗ୍ରୀ , ସ୍କୁଲକୁ ସ୍କୁଲ ବୁଲି ମାଗଣାରେ ସାମଗ୍ରୀ ଯୋଗାଉଛନ୍ତି ‘ସୋଲକ୍ଟ୍ରାଫ୍ଟ’ ଟିମ୍ । 

1,398

ମନ ଭିତରେ ଯଦି କିଛି ଭଲ କାମ କରିବା ପାଇଁ ଉତ୍ସାହ ଜାଗ୍ରତ ହୁଏ ଏବଂ ଏହି ଉତ୍ସାହକୁ ଆଗକୁ ବଢାଇବା ପାଇଁ ସହଯୋଗର ହାତ ମିିଳିଯାଏ ତେବେ ଅସମ୍ଭବ ବୋଲି କିଛି ଶବ୍ଦ ରୁହେନାହିଁ । ଆଜିର ଯୁବପିଢୀ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ସମସ୍ତଙ୍କ ମନରେ ଦେଶକୁ ଆଗେଇନେବା ଏବଂ ଅନ୍ୟ ମୁହଁରେ ହସ ଫୁଟାଇବାର ଏକ ଉଦ୍ଦୀପନା ଦେଖିବାକୁ ମିଳୁଛି । ଏହିଭଳି ଏକ ଚିନ୍ତାକୁ ଚରିତାର୍ଥ କରି ଦେଖାଇଛନ୍ତି ୩ ଜଣ ସାଙ୍ଗ । ଫ୍ୟାସନ୍ ଡିଜାଇନିଂ କୋର୍ସରେ ଡିଗ୍ରୀ ହାସଲ କରିଥିବା ମୃଣାଳିନୀ ରାଜପୁରୋହିତ୍ ତାଙ୍କ ଦୁଇ ସାଙ୍ଗ ଅତୁଲ ମେହତା ଏବଂ ନିଖିଲ୍ ଗହଲୋତ୍ ଙ୍କ ସହ ମିଶି ସମାଜପାଇଁ କିଛି ଭଲକାମ କରିବାକୁ ମନସ୍ଥ କଲେ ।

ତିନି ସାଙ୍ଗ ମିଶି ଏଭଳି ଏକ କାମ ଆରମ୍ଭ କଲେ ଯାହାଦ୍ୱାରା ଅସହାୟ ଏବଂ ଗରିବ ପିଲାଙ୍କ ମୁହଁରେ ସେମାନେ ହସ ଫୁଟାଇପାରିଲେ । ପୁରୁଣା ଜିନ୍ସପ୍ୟାଣ୍ଟ୍ ଏବଂ ଜ୍ୟାକେଟ୍ କୁ ପୁନଃ ବ୍ୟବହାର କରି ଏହି ତିନି ସାଙ୍ଗ ପିଲାଙ୍କ ପାଇଁ ବ୍ୟାଗ୍ , ଚପଲ , ପେନସିଲ୍ ବାକ୍ସ , ଜୋତା ଆଦି ସାମଗ୍ରୀ ପ୍ରସ୍ତୁତ କଲେ । ତିନିଜଣ ସାଙ୍ଗ ମିଶି ଲୋକଙ୍କ ସହାୟତାରେ ଟଙ୍କା ଜମା କରି ସରକାରୀ ସ୍କୁଲରେ ଏ ସବୁ ଦ୍ରବ୍ୟ ଦେବା ଆରମ୍ଭ କରିଦେଲେ । ଧିରେ ଧିରେ ଏହି ଛୋଟିଆ କାମ ଷ୍ଟାର୍ଟଅପ୍ ର ରୂପ ନେଲା ଯାହାର ନାଁ ରହିଲା ‘ସୋଲକ୍ଟ୍ରାଫ୍ଟ’ । ଏକବର୍ଷ ତଳେ ଆରମ୍ଭ ହୋଇଥିବା ‘ସୋଲକ୍ଟ୍ରାଫ୍ଟ’ ଡୋନେସନ୍ ଏବଂ ଅନ୍ୟ ମାଧ୍ୟମରେ ପାଖାପାଖି ୧୨୦୦ ସ୍କୁଲ୍ ପିଲାଙ୍କୁ ଜିନ୍ସରେ ପ୍ରସ୍ତୁତ ସାମଗ୍ରୀ ଯୋଗାଇ ଦେଉଛି ।

‘ସୋଲକ୍ଟ୍ରାଫ୍ଟ’ ଟିମ୍ ଅଭାବୀ ପିଲାଙ୍କ ପାଖକୁ ଏହି ଉତ୍ପାଦ ପହଁଚାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ରୋଜଗାର ଦେବାର କାମ ମଧ୍ୟ କରୁଛି । ଏବେ ପର୍ଯ୍ୟନ୍ତ ୬ ଜଣ କାରିଗର ‘ସୋଲକ୍ଟ୍ରାଫ୍ଟ’ ସହ ଜଡିତ ହୋଇ ଗୁଜୁରାଣ ମେଣ୍ଟାଉଛନ୍ତି । ଏହି କର୍ମଚାରୀଙ୍କୁ ମାସିକ ୨୦ ହଜାର ଟଙ୍କା ସୋଲକ୍ଟ୍ରାଫ୍ଟ ପକ୍ଷରୁ ଦିଆଯାଏ । ପୁରୁଣା ଜିନ୍ସକୁ ଜଣେ ପିନ୍ଧି ପିନ୍ଧି କେତେଦିନ ପର୍ଯ୍ୟନ୍ତ ପିନ୍ଧିବେ । ଜିନ୍ସର ଖାସ୍ କଥା ହେଉଛି ଏହି କପଡାକୁ ଯେତେଥର ପିନ୍ଧିଲେ ମଧ୍ୟ ଏହା ଫାଟେନାହିଁ । ମୋଟାକପଡାର ଏହି ପୋଷାକକୁ ଫୋପାଡିବା ଅପେକ୍ଷା ମୃଣାଳିନୀ ଏବଂ ତାଙ୍କ ଟିମ୍ କିଟ୍ କରି ଗାଁର ସରକାରୀ ସ୍କୁଲମାନଙ୍କରେ ବାଣ୍ଟିବାକୁ ପ୍ରୟାସ ଆରମ୍ଭ କଲେ । ଗୋଟିଏ କିଟରେ ଚପଲ,ପେନସିଲ୍ ବକ୍ସ ଏବଂ ବ୍ୟାଗ୍ ରହିଥାଏ ଯାହା ସ୍କୁଲ୍ ପିଲାଙ୍କୁ ବଣ୍ଟାଯାଏ । ‘ସୋଲକ୍ଟ୍ରାଫ୍ଟ’ ଟିମ୍ ମଧ୍ୟ ଏହି ସାମଗ୍ରୀକୁ ନିଜେ ବ୍ୟବହାର କରନ୍ତି । ଜିନ୍ସରେ ପ୍ରସ୍ତୁତ ଚପଲକୁ ଅଧିକ ବାଟ ପର୍ଯ୍ୟନ୍ତ ପିନ୍ଧି ଏହାର ଗୁଣବତ୍ତାକୁ ପରୀକ୍ଷା କରନ୍ତି । ତେବେ ଏହି ତିନିସାଙ୍ଗଙ୍କ ଏଭଳି ପ୍ରଶଂସନୀୟ ପଦକ୍ଷେପ ଯୋଧପୁରରେ ହିଁ ସୀମିତ ରହିଛି । ଏହାକୁ ଆହୁରି ବଢାଇବା ପାଇଁ ଟିମ୍ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ।