ବିଜାପୁର ଜଙ୍ଗଲରେ ନକ୍ସଲଙ୍କ ନରସଂହାର ଘଟଣାରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି । ବିଜାପୁର ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ ।

238

କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଆଜି ଚାଲିଥିବା ସର୍ଚ୍ଚ ଅପରେସନରେ ଆଉ ୨ ଜଣ ସହିଦ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଅଧିକାରୀ । ଗତକାଲି ୨ ସହିଦ ଜବାନଙ୍କ ମରଶରୀର ଉଦ୍ଧାର ହୋଇଥିଲା । ଏହାପରେ ଆଜି ଶେଷ ଖବର ସୁଦ୍ଧା ଆଉ ୨୨ ସହିଦ ଯବାନଙ୍କ ମରଶରୀର ଉଦ୍ଧାର ହୋଇଛି ।

ଗତକାଲି ବିଜାପୁର ଜଙ୍ଗଲରେ ନକ୍ସଲଙ୍କ ବର୍ବର କାଣ୍ଡ ପରେ ଜୋନାଗୁଡା ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ । ଗତକାଲିର ଏହି ବର୍ବର ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲିର ନକ୍ସଲଙ୍କ ଆଂବୁସ ପରଠାରୁ କିଛି ଯବାନ ନିଖୋଜ ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି।

ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ୩୧ ଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଜାପୁରରେ ନକ୍ସଲଙ୍କ ଏପରି ନରସଂହାର ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହିଦ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।