କ୍ଷେତରେ ବାପାଙ୍କ କଷ୍ଟ ସହିପାରିଲାନି ପୁଅ । ଚାଷରେ ସହାୟତା ପାଇଁ ଉଦ୍ଭାବନ କଲା ସୋଲାର ସ୍ପ୍ରେ ମେସିନ୍ ।

591

କନକ ବ୍ୟୁରୋ : ବାପା । ଯିଏ ଅନ୍ଧାରର ଅନ୍ଧଗଳିରୁ ଆଲୋକର ରାସ୍ତାକୁ ସନ୍ତାନକୁ ସାଉଁଟିଆଣିଥାନ୍ତି । ନିଜେ ପେଟରେ ଓଦା କନା ଦେଇ ପିଲାଙ୍କ ପେଟ ପୁରା କରିଥାନ୍ତି । ଦୁଃଖ, ଦରିଦ୍ରର ଦଉଡି କାଟି, ଦୁନିଆରେ ନିଜ ପିଲାଙ୍କୁ ପ୍ରତିଷ୍ଠିତ କରାଇଥାନ୍ତି । ଆଉ ବଡ ହୋଇଗଲା ପରେ ବାଟବଣା ହୋଇ ବାପା ମା’ଙ୍କୁ ପର କରିଦିଅନ୍ତି ଅନେକ ପୁଅ ଝିଅ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ପୁଅଙ୍କ ବିଷୟରେ କହିବୁ, ଯାହା ଶୁଣିଲେ ଗର୍ବରେ ଆପଣଙ୍କ ଛାତି ଭରିଯିବ ।

ତତସତ୍ ସ୍ୱାଇଁ । ଘର-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବହାଦୁଲନଗର ଗାଁ । ତତସତଙ୍କ ବାପା ବିଶ୍ୱନାଥ ସ୍ୱାଇଁ ହେଉଛନ୍ତି ଜଣେ ଚାଷୀ । ବିଲରେ ଚାଷ କରି ସେ ପରିବାର ପ୍ରତିପୋଷଣ କରନ୍ତି । ତେବେ କିଛି ଦିନ ତଳେ ଚାଷକାମରେ ବାପାଙ୍କୁ ସହଯୋଗର ହାତ ବଢେଇବାକୁ ବିଲକୁ ଯାଇଥିଲେ ଇଞ୍ଜିନିୟରିଂ ପଢୁଥିବା ତତସତ୍ । ବିଲରେ ବାପାଙ୍କ କାନ୍ଧର ବୋଝ ଏବଂ ପରିଶ୍ରମ ତତସତଙ୍କ ଆଖିରେ ଆଣିଦେଇଥିଲା ଆଖିଏ ଲୁହ । ଆଉ ଏହା ପରେ ସେ ଏମିତି କିଛି ଆବିଷ୍କାର କରିବାକୁ ଚିନ୍ତା କରିଥିଲେ, ଯାହା ତାଙ୍କ ବାପାଙ୍କ କଷ୍ଟକୁ କମାଇପାରିବ ।

ନୂଆ ଆବିଷ୍କାର କରିବାର ଦୃଢ ଆଶା ନେଇ ତତସତ୍ ନିର୍ମାଣ କରିଛନ୍ତି ସୌରଚାଳିତ ସ୍ପ୍ରେ ମେସିନ୍ । ଯାହା ଚାଷ କାମ କରୁଥିବା ଚାଷୀଭାଇମାନଙ୍କ ପାଇଁ ଏକ ସୁବିଧାଜନକ ମେସିନ୍ । ଏହି ସ୍ପ୍ରେ ମେସିନ୍ କ୍ଷେତରେ ପୋକ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇଥାଏ ।

ସବୁଠାରୁ ବଡ କଥା ହେଉଛି, ତତସତ୍ କଲେଜ୍ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ, ବାପା ଖର୍ଚ୍ଚ କରିବା ପାଇଁ ଯେଉଁ ଟଙ୍କା ଦେଇଥାନ୍ତି, ସେ ସେହି ଟଙ୍କାକୁ ଖର୍ଚ୍ଚ ନକରି ସଂଚୟ କରିଥାନ୍ତି । ଆଉ ସେହି ଟଙ୍କାରେ ସେ ଏକ ସୌରଚାଳିତ ସ୍ପ୍ରେ ମେସିନ୍ ତିଆରି କରିଛନ୍ତି ।

ତେବେ ଏହି ମେସିନକୁ ତିଆରି କରିବା ପାଇଁ ଗୋଟାଏ ସୋଲାର ପେନାଲ ସହ ୧୨ ଭୋଲ୍ଟର୍ ଏକ ବ୍ୟାଟେରୀ, ୧୨ ଭୋଲ୍ଟର୍ ଏକ ମଟର ପମ୍ପ, ଦୁଇଟି ସରୁ ପାଇପ ଓ ମେସିନ ଅଫ ଅନ କରିବା ପାଇଁ ଗୋଟାଏ ସୁଇଜ ବ୍ୟବହାର କରିଛନ୍ତି ତତସତ । ସେହିପରି ଚାଷକାମ ପାଇଁ ବ୍ୟବହାର ସହିତ ଗୋଟିଏ ଛୋଟ ଫ୍ୟାନ ଓ ଗୋଟିଏ ବଲ ମଧ୍ୟ ଏଥିରେ ଜଳି ପାରିବ । ଏହି ସୋଲାର ମେସିନଟିକୁ ତିଆରି କରିବା ପାଇଁ ତାଙ୍କୁ ୮ ଦିନ ସମୟ ଲାଗିଥିଲା । ଏହି ସୌରଚାଳିତ ସ୍ପ୍ରେ ମେସିନ ଠାରୁ ଉପରକୁ ଏକ ପ୍ଳେଟ ଲାଗିଥିବାରୁ ଏହା ଚାଷୀ ମୁଣ୍ଡକୁ ଖରା ଦାଉରୁ ରକ୍ଷା କରିପାରିବ ।

୧୯ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ତତସତଙ୍କ ଏହିଭଳି ଆବିଷ୍କାର ଚାଷୀମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ । ତେବେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ତତସତଙ୍କୁ ସରକାରୀ ସହଯୋଗ ଦିଆଗଲେ, ଅଳ୍ପ ମୂଲ୍ୟରେ ଚାଷୀମାନେ ଏହି ମେସିନ୍ କିଣି ଉପକୃତ ହୋଇପାରିବେ ।

ଚାଷୀମାନଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ତତସତଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ଏହି ସୋଲାର ସ୍ପ୍ରେ ମେସିନ୍ ଅଧିକ ମାତ୍ରାରେ ନିର୍ମାଣ କରିବାକୁ ସରକାର ସହଯୋଗର ହାତ ବଢାଇଲେ ସାରା ରାଜ୍ୟରେ ଗରିବ ଚାଷୀଭାଇ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇଛି ।