କେରଳ : ସୋଲାର ସ୍କାମ ମାମଲା, ଓମାନ ଚାଣ୍ଡିଙ୍କ ସମେତ ୬ କଂଗ୍ରେସ ନେତାଙ୍କ ନାମରେ ଯୌନ ଶୋଷଣ ମାମଲା

87

କନକ ବ୍ୟୁରୋ : ସିବିଆଇ ପକ୍ଷରୁ ୭ ବର୍ଷର ଏକ ପୁରୁଣା ମାମଲାର ଯାଂଚ କରାଯାଇ କେରଳର ପୂର୍ବ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ସମେତ କଂଗ୍ରେସର ୬ ଜଣ ବରିଷ୍ଠ ନେତାଙ୍କ ନାମରେ ଯୌନ ଶୋଷଣ ମାମଲା ଦାଖଲ କରିଛି । କେରଳରେ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ଅଭିଯୋଗ କ୍ରମେ ସିବିଆଇ ଏଭଳି ମାମଲା ରୁଜୁ କରିଛି । ଏହି ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି, ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ସି ବେଣୁଗୋପାଳ ଓ ଅନ୍ୟ ନେତାଙ୍କ ନାମରେ ଏହି ମାମଲା ଦାଖଲ ହୋଇଛି । ମାମଲା ଦାଖଲ ହେବା ପରେ ସିବିଆଇ ଯାଂଚ ଆରମ୍ଭ କରିଛି   । ଏହା ପୂର୍ବରୁ ଏହି ମାମଲାର ଯାଂଚ କେରଳ ପୋଲିସର ଅପରାଧିକ ଶାଖା କରୁଥିଲା ।

କହିରଖୁ କି ସଂଯୁକ୍ତ ଲୋକତାନ୍ତ୍ରୀକ ମୋର୍ଚ୍ଚା (ୟୁଡିଏଫ) ସରକାର ସମୟରେ କୋଟି କୋଟି ଟଙ୍କାର ସୋଲାର ସ୍କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମହିଳା ଜଣଙ୍କ ଅଭିଯୋଗ କରିଥିଲେ କି ଏହି ମାମଲାରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ଶୋଷଣ କରିଛନ୍ତି । ଏଭଳି ଅଭିଯୋଗ ଉପରେ ସିବିଆଇ ଯାଂଚ ପାଇଁ ଅନୁରୋଧ କରିଥିଲେ କେରଳର ବାମ ସରକାର ।

ଅନ୍ୟପଟେ ଏଭଳି ଅଭିଯୋଗକୁ କଂଗ୍ରେସ ପକ୍ଷରୁ ରାଜନୈତିକ ପ୍ରଣୋଦିତ ବୋଲି କୁହାଯାଇଛି । ୨୦୧୩ ମସିହାରେ ଏହି ମାମଲାକୁ କେରଳ ସରକାର ସିବିଆଇ ହାତକୁ ଦେଇଥିଲେ । ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅଦୁର ପ୍ରକାଶ, ହିବି ଇଡନ ଓ ବିଧାୟକ ଏପି ଅନିଲ କୁମାର ବି ଅଭିଯୁକ୍ତ ଅଛନ୍ତି । ଏହାସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବ୍ଦୁଲାକୁଟ୍ଟି ବି ଏହି ମାମଲରେ ଅଭିଯୁକ୍ତ ।