କନକ ବ୍ୟୁରୋ : ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ମଙ୍ଗଳବାର ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି ।

Advertisment

ତେବେ ଏହି ସୂର୍ଯ୍ୟ ପରାଗ ଦେଖିବା ପାଇଁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିମାନେ ଦେଖିପାରିବେ । ସେମାନଙ୍କ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହା ଦେଖିବା ସେମାନଙ୍କ ପାଇଁ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ବିଷାରଦମାନେ ପ୍ରକାଶ କରିଛନ୍ତି । ସେହିପରି ଯେଉଁ ରାଶିରେ ଚନ୍ଦ୍ର ଅଶୁଦ୍ଧି ରହିଛନ୍ତି ସେହି ରାଶିର ବ୍ୟକ୍ତିମାନେ ଏହି ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ଯଥା କର୍କଟ, ବିଛା, ଧନୁ, ମୀନ ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟ ପରାଗ ଦେଖିପାରିବେନି ।

ସେମାନଙ୍କ ପାଇଁ ଏହି ପରାଗ ଅଶୁଭ ସାବ୍ୟସ୍ତ ହେବ ବୋଲି କୁହାଯାଇଛି । ସେହିପରି ଗର୍ଭବତୀ ମହିଳାମାନେ ବି ଏହି ପରାଗ ଦେଖିପାରିବେନି । ତେବେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ପଠାଣି ସାମନ୍ତ ପ୍ଲାନିଟୋରିୟମରେ ଯେଉଁ ବ୍ୟବସ୍ଥା ରହିଛି ଚଳିତବର୍ଷ ଏହାକୁ ବନ୍ଦ ରଖାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଥିରୁ ସମସ୍ତେ ବଂଚିତ ହେବେ। ବର୍ତ୍ତମାନ ପ୍ଲାନିଟେରିଓମର ମରାମତି ଚାଲିଛି ।

ସେପଟେ ପରାଗକୁ ନେଇ ଅନେକ ଧର୍ମୀୟ ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ପରିବର୍ତନ କରାଯାଇଛି । ଗତକାଲି ରାତିସାରା ଶ୍ରୀମନ୍ଦିରରେ ନୀତିକାନ୍ତି ହୋଇଛି । ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି କରାଯାଇଛି । ରାତି ୨ଟା ସୁଦ୍ଧା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ କରାଯାଇଛି । ୪ଟା ୫୫ ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହୋଇଛି ।