ସୋହେଲା ଗୁଳିକାଣ୍ଡ ନେଇଁ ମୁହଁ ଖୋଲିଲେ ଶ୍ରମମନ୍ତ୍ରୀ ! ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଦାୟୀ କଲେ ସୁଶାନ୍ତ

43

କନକ ବ୍ୟୁରୋ : ବିଜେପୁରର ହିସାବ କିତାବ୍ ଭିତରେ ପୁଣି ଜୋରଧରିଛି ଗୁଳିକାଣ୍ଡ ରାଜନୀତି । ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ପାଇଁ ସିଧାସଳଖ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଆଡକୁ ଅଙ୍ଗୁଳି କରିଛନ୍ତି ସୁଶାନ୍ତ ସିଂ । ବିଜେପି ନେତାଙ୍କ ଇଙ୍ଗିତରେ ତାଙ୍କ ଭାଇ ସୁବ୍ରତ ସିଂଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ସୁଶାନ୍ତ ସିଂ ଅଭିଯୋଗ କରିଛନ୍ତି । ଏପଟେ କିନ୍ତୁ ବିଜେପି- ଶ୍ରମମନ୍ତ୍ରୀ ଏବଂ ତାଙ୍କ ଭାଇଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ବିଜେପି ।

ସୋହେଲା ବନାବିରା ଆକ୍ରମଣ ଘଟଣାରେ ସିଧାସଳଖ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କ ନାଁ ନେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଗୁଳିକାଣ୍ଡ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ସୁଶାନ୍ତ କହିଛନ୍ତି- ସମ୍ବଲପୁର ଏବଂ ବିହାରର କିଛି ଗୁଣ୍ଡାଙ୍କୁ ନେଇ
ହୋଇଥିଲା ଏହି ଆକ୍ରମଣ । ଆଉ ଏହାର ମାଷ୍ଟର ମାଇଣ୍ଡ ଥିଲେ ଜୟ ନାରାୟଣ ମିଶ୍ର ।

ଠିକ୍ ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଗୁଳିକାଣ୍ଡ ପାଇଁ ରାଜନୈତିକ ପ୍ରତିଫଳନ ବୋଲି ଖୋଲାଖୋଲି ଆଲୋଚନା ହେଉଥିବା ବେଳେ ଏଥିପାଇଁ ବିଜେପିକୁ ଦାୟୀ କରିଛି ବିଜେଡି । ଆଶ୍ରମରେ ରହି ବିଜେପି ନେତା ଏହି ଆକ୍ରମଣକୁ ପରିଚାଳନା କରୁଥିଲେ ବୋଲି ସୁଶାନ୍ତ ସିଂ ଅଭିଯୋଗ କରିଛନ୍ତି । ଏପଟେ ସୁଶାନ୍ତ ସିଂହ ଏବଂ ତାଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ବିଜେପି । ସୁଶାନ୍ତ ସିଂଙ୍କ ଭାଈଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଏପରିକି ଟେଣ୍ଡର ଫିକ୍ସି ଠାରୁ ଆରମ୍ଭ କରି ଟୋଲ ଗେଟରେ ଗାଡି ଅଟକାଇବା କାର୍ଯ୍ୟରେ ସୁବତ୍ର ସିଂ ସଂଶ୍ଲିଷ୍ଟ ଅଛନ୍ତି । ତେଣୁ ଅପରାଧୀଙ୍କ ଠାରୁ କେଉଁ ଭାଷା ଆଶା କରାଯାଏ ବୋଲି ପ୍ରଶ୍ନ କରିଛି ବିଜେପି ।

ଗୁଳିକାଣ୍ଡକୁ ନେଇ ତଦନ୍ତ ଚାଲିଥିବା ବେଳେ ବିଜେପିର ବଡ ବଡ ନେତାଙ୍କୁ ଏହାରି ଭିତରକୁ ଟାଣିବାକୁ ପ୍ରୟାସ କରିଛି ବିଜେଡି । ଗୁଳିକାଣ୍ଡରେ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଶ୍ରମ ମନ୍ତ୍ରୀଙ୍କ ଭାଇ ଚିକିତ୍ସାଧିନ ଅଛନ୍ତି । ଆଉ ଏହି ଘଟଣାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗି ରହିଛି ।