‘ବାପା ଯାହା ଭଲ କାମ କରିଥିଲେ, ମୋତେ ତା’ର ଆଶୀର୍ବାଦ ମିଳିଛି’ : ବିଜୟ ପରେ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରତିକ୍ରିୟା

742

କନକ ବ୍ୟୁରୋ: ଶେଷ ସମୟରେ ଟିକେଟ ନେବାକୁ ନିଷ୍ପତ୍ତି ନେଲେ । ଯେତିକି ବି ସମୟ ମିଳିଲା ତା’ ଭିତରେ ଜୋରସୋର ପ୍ରଚାର କଲେ । ଘର ଘର ଯାଇ ଲୋକଙ୍କୁ ଭେଟିଲେ । ଆଉ ଲୋକଙ୍କ ମନ ବି ଜିତିଲେ । ଯାହାର ପରିଣାମ ୪ ତାରିଖରେ ଦେଖିବାକୁ ମିଳିଛି । ଆମେ କହୁଛୁ କଟକ ବାରବାଟୀରୁ ବିଜୟୀ ହୋଇଥିବା ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କ କଥା ।

୨୦୧୯ରେ ନିର୍ବାଚନ ଲଢି ମହମ୍ମଦ ମୋକିମ ୩୮୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ଝିଅ ସୋଫିଆ କିନ୍ତୁ ୮ହଜାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି । ଏ ନେଇ ପଚାରିବାରୁ କଟକ ବାରବାଟିରୁ ବିଧାୟକା ହୋଇଥିବା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ‘୫ ବର୍ଷରେ କଟକ ପାଇଁ ଯାହା କରିଛନ୍ତି ତା’ର ଆଶୀର୍ବାଦ ମୋତେ ମିଳିଛି । ବାପାଙ୍କ ପରେ ତାଙ୍କୁ ଲୋକେ ପରଖିଲେ, ଏବଂ ବିଶ୍ୱାସ କରି ଜିତାଇଲେ । ତେବେ ବିଜନେସ୍ କ୍ଷେତ୍ରରେ ସେ ଯେପରି ସଫଳ ହୋଇପାରିଛନ୍ତି, ସେହି ସଫଳତା ମଧ୍ୟ ରାଜନୀତିରେ ପାଇବେ ବୋଲି ତାଙ୍କର ବିଶ୍ୱାସ । ବ୍ୟବସାୟରେ ଯେପରି ଲୋକଙ୍କ ସହ ଭଲ ବ୍ୟବହାର କରନ୍ତି, ଏବଂ ସଫଳତା ପାଇଁ ପୁରା ଷ୍ଟ୍ରାଟେଜି କ୍ୟାଲେଣ୍ଡର ବନାନ୍ତି ତାକୁ ରାଜନୀତିରେ ମଧ୍ୟ ଲାଗୁ କରିବେ । ଲୋକଙ୍କ ପାଇଁ ବାରବାଟି ପାଇଁ କାମ କରିବାକୁ ପୁରା ସିଡ୍ୟୁଲ ବନାଇବେ । ଏହାର ରିପୋର୍ଟ କାର୍ଡ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇବେ । ଜନତା ଓ ତାଙ୍କ ମଧ୍ୟରେ ସବୁ କିଛି ସ୍ପଷ୍ଟ ରହିବ’ ବୋଲି କହିଛନ୍ତି ସୋଫିଆ ।