ରୁଟିଦାନ କରି ଚର୍ଚ୍ଚାରେ ଅହମ୍ମଦାବାଦ୍ ସୋସାଇଟି ସଦସ୍ୟ : ପ୍ରତିଦିନ ୬୦୦ ରୁ ଅଧିକ ଭୋକିଲାଙ୍କ ପେଟକୁ ଖାଦ୍ୟ ଯୋଗାଉଛନ୍ତି ୧୨ ପରିବାର ।

73

ଆମେ କୌଣସି ବିବାହ ,ବ୍ରତ, ଉତ୍ସବକୁ ଗଲେ ବଳକା ଥିବା ଖାଦ୍ୟ ଫୋପାଡା ଯାଉଥିବା ଦୃଶ୍ୟ ଦେଖୁ । ବେଳେବେଳେ ଘରେ ମଧ୍ୟ ଅଧିକ ଖାଦ୍ୟ ହୋଇ ବଳକି ଯାଇଥିଲେ ତାହା ଫୋପଡା ଯାଏ ଯାହା ଖାଦ୍ୟ ପ୍ରତି ସମାଜର କେତେ ଆଦର ତାହା ଦର୍ଶାଏ ! ଏହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯିଏ ଓଳିଏ ଖାଇଲେ ଆର ଓଳିକୁ ଉପବାସରେ ରୁହନ୍ତି । ଏଭଳି ସ୍ଥଳେ ଖାଦ୍ୟ ଫୋପାଡିବା ପରିବର୍ତ୍ତେ ଯଦି ଭୋକିଲା ଲୋକକୁ ଅନ୍ନଦାନ କରିବେ ତେବେ କ’ଣ ଆତ୍ମତୃପ୍ତି ହେବନି କି!

ଆଜିକାଲିର ଯୁବପିଢୀ ଏବଂ କିଛି ସମାଜସେବୀ ଅନ୍ନଦାନ କରି ମାନବିକତାକୁ ବଜାୟ ରଖିଛନ୍ତି । ଗୁଜୁରାଟ ଅହମ୍ମଦାବାଦର ଏହି ଉଦାହରଣଟି ହିଁ ଦେଖନ୍ତୁ । କିଛି ଲୋକଙ୍କ ମହତ୍ ପ୍ରୟାସ ଯୋଗୁଁ ଆଜି କିଛି ଭୋକିଲା ଲୋକଙ୍କୁ ଖାଲି ପେଟରେ ଶୋଇବାକୁ ପଡୁନାହିଁ । ଅହମ୍ମଦାବାଦର ନରନପୁରା ଠାରେ ୧୨ରୁ ଉଦ୍ଧ୍ୱର୍ ସୋସାଇଟି ଲୋକ ଏକାଠି ହୋଇ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିଷ୍ପତ୍ତି ନେଲେ । ପ୍ରତିଘରୁ ଆସିଲା ୨ ରୁ ୩ ଟି ରୁଟି । ଦେଖୁ ଦେଖୁ ରୁଟି ସଂଖ୍ୟା ପାଖାପାଖି ୪ ହଜାରରେ ପହଞ୍ôଚଗଲା । ଆଉ ୬୦୦ ଅସହାୟ ଲୋକଙ୍କ ପାଖକୁ ମାଗଣାରେ ପହଞ୍ଚାଗଲା ଏହି ରୁଟି ।

ଚଳିତବର୍ଷ ନବରାତ୍ରୀର ପବିତ୍ର ଅବସରରେ ଆରମ୍ଭ ହୋଇଥିବା ଏହି କାମକୁ ଏଯାଏଁ ସୋସାଇଟି ସଦସ୍ୟ ଜାରି ରଖିଛନ୍ତି । ଗୁଜୁରାଟ ନବରାତ୍ରୀ କହିଲେ ଗରବା ଏବଂ ଡାଣ୍ଡିଆର ଆସର । କିନ୍ତୁ ଚଳିତଥର ଜଣେ ବୃଦ୍ଧା ଏଭଳି ମହତ୍ କାମ କରି ସମାଜସେବା କରିବା ପାଇଁ ସୋସାଇଟି ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ ଯାହା ସେମାନେ ପାଳନ କରିଛନ୍ତି । ସୋସାଇଟିର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରତିଦିନ ୧ ଟାଏ ବେଳେ ରୁଟି ରଖିଦିଆଯାଏ । ଲୀଲାବାଇ ଟ୍ରଷ୍ଟର ମାଲିକ ଦିଲ୍ଲୀପ ଏହି ରୁଟିକୁ ଅସହାୟ ଲୋକଙ୍କ ପାଖକୁ ନେଇଯାନ୍ତି । ସେ କୁହନ୍ତି , ସୋସାଇଟି ସଦସ୍ୟ ରୁଟି ଦିଅନ୍ତି ଏବଂ ୬୦୦ ଜଣ ଲୋକଙ୍କ ପାଇଁ ଗୁଜୁରାଟୀ ଡାଲମା ପ୍ରସ୍ତୁତ ହୋଇଥାଏ । ଯାହାକୁ ଅସହାୟଙ୍କ ମଧ୍ୟରେ ବଣ୍ଟନ କରାଯାଏ ।