ଚର୍ଚ୍ଚାରେ ବରଗଡ଼ର ଭିନ୍ନ ବଣଭୋଜି । ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କ ପାଇଁ ମହାନଦୀ କୂଳରେ ବଣଭୋଜିର ଆସର କଲେ ସମାଜସେବୀ ଗୀତା ମିଶ୍ର ।

147

କନକ ବ୍ୟୁରୋ : ଜରାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ । ମହାନଦୀରେ ନୌବିହାର କରାଇଲେ, ସୁସ୍ୱାଦୁ ଖାଦ୍ୟ ଖୁଆଇଲେ । ସ୍ୱାମୀ, ପୂଅ-ବୋହୂଙ୍କ ଠାରୁ ନିର୍ଯାତିତ ହୋଇ ନିଜ ଘର ଛାଡି ଥିବା ଜରାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ମନ ବୁଝିଲେ ସମାଜସେବୀ ।

ମହାନଦୀ କୂଳରେ ବଣଭୋଜି । ରୋଷେଇ ସାଙ୍ଗକୁ ଖିଆପିଆ ବି ଚାଲିଛି । ଆଉ ମହାନଦୀରେ ନୌକା ବିହାର ବି ହୋଇଛି । ଆପଣ ଭାବୁଥିବା ଏ ସମୟରେ ତ ସମସ୍ତେ ପିକ୍ନିକ୍ କରନ୍ତି, ଏଥିରେ ନୂଆ କଣ । ଏଥିରେ ଯଦିଓ ନୂଆ ନାହିଁ, କିଛି ନିଆରା ଅଛି । ଏ ବଣ ଭୋଜି ଅନ୍ୟ ସବୁ ବଣଭୋଜି ଭଳି ନୁହେଁ । କାରଣ ଏଠି ବଣଭୋଜି କରୁଛନ୍ତି ଘର ଛାଡି ଜରାଶ୍ରମରେ ରହୁଥିବା  ଅନ୍ତେବାସୀ । ଜୀବନର ଅପରାହ୍ଣରେ ପରିବାର ଲୋକଙ୍କ ଠାରୁ ନିର୍ଯାତିତ ହୋଇଥିବା ବୃଦ୍ଧ ବାପା-ମାଆଙ୍କ ପାଇଁ ବଣଭୋଜିର ଆୟୋଜନ  କରିଛନ୍ତି ବରଗଡର ସମାଜସେବୀ ଗୀତା ମିଶ୍ର ଓ ତାଙ୍କ ୪ ସହଯୋଗୀ ।

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ଗାଁରେ ରହିଛି ପାର୍ବତୀଗିତୀ ଅନାଥ ଆଶ୍ରମ । ଏଠାରେ ୨୦ ଜଣ ଅସହାୟ ବୃଦ୍ଧବୃଦ୍ଧା ରହୁଛନ୍ତି । ସ୍ୱାମୀ-ପୁଅ ବୋହୂଙ୍କ ଠାରୁ ନିର୍ଯାତିତ ହୋଇ ଘର ଛାଡିଥିବା ଏହି ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଅନାଥ ଆଶ୍ରମରେ ରଖିବା ସହ ଏମାନଙ୍କ ଦେଖାଶୁଣା କରୁଛନ୍ତି ଆଶ୍ରମ ପରିଚାଳକ ଜଳନ୍ଧର ପଟେଲା । ଜଳନ୍ଧରଙ୍କ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାନଦୀ କୂଳ ପଥରସେନୀରେ ବଣଭୋଜିର ଆୟୋଜନ କରିଥିଲେ ମହିଳା ସମଜସେବୀ ।

ପରିବାର ଠାରୁ ଦୂରରେ ରହିବାର ଦୁଃଖକୁ କିଛି କ୍ଷଣ ପାଇଁ ଭୁଲିବାକୁ ଚେଷ୍ଟା କରିଥିଲେ ଅନ୍ତେବାସୀ । ଆଉ ଜୀବନରେ ଅନେକ ଯନ୍ତ୍ରଣାକୁ ସହିଥିବା ବୃଦ୍ଧା ବାପା-ମାଆଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟେମ କରିଥିଲେ ସମାଜସେବୀ ଗୀତା ମିଶ୍ର ।