ଯୁବତୀଙ୍କ ବ୍ୟକ୍ତିଗତ ବିଷୟକୁ ନେଇ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା । ଗିରଫ ହେଲେ ସୋସିଆଲ୍ ଟକ୍ ଚ୍ୟାନେଲର ଚର୍ଚ୍ଚିତ ୟୁଟ୍ୟୁବର ପ୍ରୀତି ପ୍ରକାଶ ନାୟକ ।

12,464

କନକ ବ୍ୟୁରୋ: ଗିରଫ ହେଲେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୋସିଆଲ ଟକ୍ ଚର୍ଚ୍ଚିତ ଉପସ୍ଥାପକ ପ୍ରୀତି ପ୍ରକାଶ ନାୟକ । ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଫଟୋକୁ କଦର୍ଥ କରି ଉପସ୍ଥାପନ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ପ୍ରୀତି ପ୍ରକାଶ ନାୟକଙ୍କ ବିରୋଧରେ ଦଫା ୫୦୬, ୩୫୪ ଓ ୫୦୯ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ସେକ୍ସନ ୬୬ ଓ ୬୭ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଗତ ୨୩ ତାରିଖରେ ଜଣେ ଯୁବତୀ ପ୍ରୀତି ପ୍ରକାଶଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ମାର୍ଚ୍ଚ ୧୨ ତାରିଖରେ ପ୍ରୀତି ପ୍ରକାଶ ଯୁବତୀଙ୍କ ବ୍ୟକ୍ତିଗତ ବିଷୟକୁ ନେଇ ଏକ ଭିଡିଓ ମେସେଜ ପୋଷ୍ଟ କରିଥିଲେ । ଯେଉଁଥିରେ ଯୁବତୀଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଯୁବତୀଙ୍କ ମୂଳ ମନ୍ତବ୍ୟର ଏକ ଜାଲ ଇଲେକ୍ଟ୍ରୋନିକ୍ସ ରେକର୍ଡକୁ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଯୁବତୀ ବିରୋଧ କରିବାକୁ ଅଭିଯୁକ୍ତ ଧମକଚମକ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡିତା ଯୁବତୀ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରୀତି ପ୍ରକାଶ ନାୟକଙ୍କୁ ଗିରଫ କରି ତଦନ୍ତ ଚଲାଇଛି ।