ସରକାର ! ଜ୍ୟୋତି ଜୀବନର ମୂଲ୍ୟ କଣ ୪ ଲକ୍ଷ ? ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରଶ୍ନ…

368

କନକ ବ୍ୟୁରୋ: ମାଆ ମୁର୍ଚ୍ଛା ଯାଉଛି, ବାପା ବାକଶୂନ୍ୟ ହୋଇଛନ୍ତି… ଆଈର ପାଟିକୁ ଶବ୍ଦ ଆସୁନି, ମାଉସୀ ବି ମଥାରେ ହାତ ଦେଇ ବସିଛନ୍ତି । ଆଉ ପୂରା ପରିବାର ମଥାପିଟି କାନ୍ଦୁଛି । ପରିବାରର ଭବିଷ୍ୟତ ଯେତେବେଳେ ଅନ୍ଧକାର ହୋଇଯାଉଛି । ପୁଅକୁ ଯେତେବେଳେ ରାଜଧାନୀର ଡ୍ରେନ ମାରିଦେଇଛି । ସେତେବେଳେ ଲୁହ, କୋହ, କାନ୍ଦ, ସମବେଦନା ଆଉ ଛାତିଥରା ଚିତ୍କାରରେ ଫାଟି ପଡୁଛି ରାଜଧାନୀରର କଳିକନ୍ଦି । ଶବ୍ଦହୀନ ସ୍ମାର୍ଟସିଟି, ଆଉ ସ୍ତବ୍ଦ ହୋଇଛି ସାରା ଓଡିଶା…

ଜ୍ୟୋତିର ଜୀବନ ଯିବା ପରେ ପରିବାରକୁ ସହାୟତା ଘୋଷଣା କରିଛନ୍ତି ସରକାର । ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେବା ମାତ୍ରେ ହିଁ ତାତି ଯାଇଛନ୍ତି ଲୋକେ । ଆଉ ସ୍ମାର୍ଟସିଟିର ଏ ସାଙ୍ଘାତିକକାଣ୍ଡ ପାଇଁ ହଇଚଇ ହୋଇପଡିଛି ସୋସିଆଲ ମିଡିଆ । ଫେସବୁକ, ଟ୍ୱିଟରରେ ନିଜ ମତାମତ ରଖି ସରକାର ଏବଂ ବିଛଣାରେ ଶୋଇଥିବା ବିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି ୟୁଜର୍ସ ।

 

ପାଣିରେ ଭାସିଯାଇ ପୁଅ ପ୍ରାଣ ହରାଇବା ପରେ ଜ୍ୟୋତି ଜୀବନର ମୂଲ୍ୟ କଣ ୪ ଲକ୍ଷ ବୋଲି ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ତକ୍ରାଳୀନ ମେୟରଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ହରେକୃଷ୍ଣ ସାହୁ ରାଜାର ବାପାଙ୍କ ଅସହାୟତାକୁ ବଖାଣିଛନ୍ତି । ଜଣେ ବାପା ପାଇଁ ପୁଅ ବଡ, ପଇସା ନୁହେଁ ? ପୁଅର ମୃତ୍ୟୁ ବାବଦକୁ ମିଳୁଥିବା ୪ ଲକ୍ଷ ଟଙ୍କା ତାଙ୍କୁ ନଦେଇ ପ୍ରଶାସନ ସିମେଣ୍ଟ ବାଲିରେ ସ୍ଲାବ ତିଆରି କରୁ । ଆଉ ଭୁବନେଶ୍ୱରର ସବୁ ମୁକୁଳା ଡ୍ରେନ ଉପରେ ଢାଙ୍କୁଣି ପକାଉ । ହୁଏତ ଏହି ଟଙ୍କାରେ କାମ ହେଲେ ଅନେକ ପୁଅ ମରଣ ମୁହଁରୁ ମୁକ୍ତିପାଇଯିବେ…

ଭିନ୍ନ ଭିନ୍ନ ପୋଷ୍ଟରେ ଅନେକ ସାମ୍ବାଦିକ, ସାଧାରଣ ଲୋକ ବିଏମସିର ବେପରୁଆପଣ, ପୁଅର ଜୀବନର ମୂଲ୍ୟକୁ ସରକାର ୪ ଲକ୍ଷରେ ତଉଲୁଥିବାରୁ ତାକୁ ସମାଲୋଚନା କରିଛନ୍ତି । ଅସରାଏ ବର୍ଷାରେ ଭୁବନେଶ୍ୱର ଅହରହ ଭାସୁଥିବାରୁ ଆଗାକୁ ପିଲାଙ୍କୁ ଘର ବାହାରକୁ ଛାଡୁଥିଲେ ଏମିତି ପୋଷାକ ପିନ୍ଧାଇ ଛାଡିବାକୁ ସୋସିଆଲ ମିଡିଆରେ ୟୁଜର୍ସ କଡା ସମାଲୋଚନା କରିଛନ୍ତି ।

ତେବେ ପାଣିରେ ଭାସିଯିବାର ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଡ୍ରେନ ନିକଟ ଏକ ବୁଦା ମୂଳରୁ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ଆଉ ଡ୍ରେନ ପାଇଁ ପୁଅର ମୃତ୍ୟୁ ପରେ ହୃଦୟଥରା ଘଟଣାରେ ରାଜନୀତିର ରଙ୍ଗ ମାରିବାକୁ ଆରମ୍ଭ ହୋଇଛି ପ୍ରୟାସ । ମୃତ୍ୟୁ ପରେ ପୁରୀ ସ୍ୱର୍ଗଦ୍ୱାରରେ ରାଜା ସିନା ପଞ୍ଚଭୂତରେ ଲୀନ ହୋଇଛି, ହେଲେ ଏ ଅଭାବନୀୟ ଘଟଣା ଅନେକ ପ୍ରଶ୍ନ ଛାଡିଯାଇଛି…