କିଏ ଖାଉଛି, କିଏ ଫିଙ୍ଗୁଛି… ସଙ୍କଟ ବେଳେ ଖାଦ୍ୟ ସହ ଖେଳ । ସଙ୍ଗରୋଧ କେନ୍ଦ୍ରରେ ଖାଇବା ରୁଚୁନି ବୋଲି ଫୋପାଡି ଦେଲେ ଅମାନିଆ । ସୋସିଆଲ ମିଡିଆରେ ଯୋଦ୍ଧାଙ୍କ ସଙ୍ଘର୍ଷଭରା ଫଟୋ ଛାଡି ସଚେତନ କଲେ ୟୁଜର୍ସ…

ବାହାର ରାଜ୍ୟରେ ଭୋକର ଭିକ ମାଗୁଥୁବା ପ୍ରବାସୀମାନେ ଗାଁରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ କେନ୍ଦ୍ରର ଖାଦ୍ୟରେ ଖୁଣ ବାହାର କରୁଛନ୍ତି ଆଉ ତେଲ ଲୁଣର ବାହାନା କରି ଫୋପାଡି ଦେଉଛନ୍ତି ।ଠିକ ସେତିକି ସୋସିଆଲ ମିଡିଆରେ ବୁଲୁଥିବା ଏ ସଙ୍ଘର୍ଷଭରା ଚିତ୍ର ହୁଏତ ଅମାନିଆଙ୍କ ଆଖି ଖୋଲିଦେବା ସହ ସେମାନଙ୍କୁ ଖାଦ୍ୟର ମୂଲ୍ୟ ବୁଝାଇବ ।

1,094

କନକ ବ୍ୟୁରୋ: ଏମାନେ ଏମିତି ଖାଆନ୍ତି । ବାତ୍ୟା, ବନ୍ୟା, ମରୁଡି ଯାହା ବି ହେଉ । ଯେତେବେଳେ ଯେକୌଣସି ପରିସ୍ଥିତି ଆସୁନା କାହିଁକି ଏମାନେ ସବୁର ମୁକାବିଲା କରନ୍ତି । ଯେଉଁଠି ଯାହା ମିଳିଲା ମାଟି ଉପରେ ବସି ମହା ଆନନ୍ଦରେ ଖାଆନ୍ତି । ଆଉ ରାତିଦିନ ନିଜ କର୍ତ୍ତବ୍ୟ କରନ୍ତି । କାରଣ ଏମାନେ ହେଉଛନ୍ତି ମାଟି ମାଆର ସେବକ, ସାଧାରଣ ଲୋକଙ୍କ ସୁରକ୍ଷାଦାତା…

ଓଡିଶା ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କ ସଙ୍ଘର୍ଷମୟ ଜୀବନର ଏ କଥାକୁହା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିପତ୍ତି ବେଳେ କେମିତି ଏମାନେ ବିପଦର ବନ୍ଧୁ ସାଜି ଲୋକଙ୍କୁ ରକ୍ଷା କରନ୍ତି ଆଉ ଆଜି ଏ ମହାମାରୀ ମୁକାବିଲା ବେଳେ ଖରା, ବର୍ଷାରେ ନିଜକୁ ସିଝାଇ କେମିତି କରୋନା ଆଗରେ ଛିଡା ହୋଇଛନ୍ତି ତାହା ଏହି ଫଟୋରେ ଉଲ୍ଲେଖ କରାଯାଇଛି ।

ତେବେ ରାଜ୍ୟର ଯେକୌଣସି ବିପର୍ଯ୍ୟୟ ବେଳେ ଏ ଯୋଦ୍ଧାମାନେ ନିଜ ଜୀବନକୁ ପାଣି ଛଡାଇ ଅନ୍ୟର ଜୀବନ ବଞ୍ଚାନ୍ତି । ସେ ୧୯୯୯ ମହାବାତ୍ୟା ହେଉ, ଅବା ହେଉ ତିତଲି, ହୁଡହୁଡ କିମ୍ବା ବର୍ଷେ ତଳେ ସବୁକିଛି ଛାରକାର କରିଯାଇଥିବା ଫନି କିମ୍ବା ହେଉ ଓଡିଶା ଛାତିରେ ବୀଭିଷିକା ରଚିଥିବା ବଡ ବଡ ବନ୍ୟା । ସବୁ ସଙ୍କଟ ସମୟରେ ଲୋକଙ୍କ ସାହା ସାଜନ୍ତି ଏମାନେ । ଅକାତକାତ ପାଣିରେ ବୁଡି ଭାସି ଯାଉଥିବା ଜୀବନକୁ ଉଦ୍ଧାର କରନ୍ତି । ମୃତ୍ୟୁର ପଞ୍ଝାରୁ ମଣିଷଙ୍କୁ ବଞ୍ଚାନ୍ତି । ତେବେ ଘର ପରିବାର ଭୁଲି ରାଜ୍ୟବାସୀଙ୍କ ନିରନ୍ତର ସେବା କରିଚାଲିଥିବା ଏ ସେବକ ମାନେ କିନ୍ତୁ କେତେବେଳେ ଖାଆନ୍ତି, କେତେବେଳେ ଉପାସ ରୁହନ୍ତି । କିନ୍ତୁ କେବେ ବିରୋଧ କରନ୍ତିନି…

ହେଲେ ଗଞ୍ଜାମରୁ ଆସିଥିବା ଏ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । କରୋନା ବେଳେ ଯୋଦ୍ଧାମାନେ କଷ୍ଟକରି ଖାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ଅମାନିଆ ସୁଆଦିଆ ଖାଦ୍ୟକୁ ବି ଫିଙ୍ଗୁଛନ୍ତି । ଲକଡାଉନରେ ବାହାର ରାଜ୍ୟରେ ଯେତେବେଳେ ଏମାନେ ଫସି ରହିଥିଲେ ସେତେବେଳେ ଉଦ୍ଧାର କରିବାକୁ ସରକାରଙ୍କୁ ହାତଯୋଡି ନେହୁରା ହେଉଥିଲେ । ବାହାରେ ମରିବା ଅପେକ୍ଷା ଘରେ ମରିବା ଭଳି କିଛି ହୃଦୟବତୁରା କଥା କହି ନିବେଦନ କରୁଥିଲେ । ହେଲେ ଯେତେବେଳେ ସେମାନଙ୍କୁ ନିଜ ମାଟିକୁ ଫେରାଇ ଅଣାଗଲା, ନିଜ ଘରକୁ ଅଣାଗଲା ସେତେବେଳେ ସେମାନେ ନିଜ ଅସଲ ଚିତ୍ର ଦେଖାଇଲେ । ବାହାର ରାଜ୍ୟରେ ଭୋକର ଭିକ ମାଗୁଥୁବା ପ୍ରବାସୀମାନେ ଗାଁରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ କେନ୍ଦ୍ରର ଖାଦ୍ୟରେ ଖୁଣ ବାହାର କରୁଛନ୍ତି ଆଉ ତେଲ ଲୁଣର ବାହାନା କରି ଫୋପାଡି ଦେଉଛନ୍ତି । ଠିକ ସେତିକି ସୋସିଆଲ ମିଡିଆରେ ବୁଲୁଥିବା ଏ ସଙ୍ଘର୍ଷଭରା ଚିତ୍ର ହୁଏତ ଅମାନିଆଙ୍କ ଆଖି ଖୋଲିଦେବା ସହ ସେମାନଙ୍କୁ ଖାଦ୍ୟର ମୂଲ୍ୟ ବୁଝାଇବ ।