କନକ ବ୍ୟୁରୋ : ପ୍ରୋତ୍ସାହନ ଓ ପୁରସ୍କାର, ତାହା ପୁଣି ମଦ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ । ଏଭଳି କିଛି ନିଷ୍ପତି ନେଇଛି ବିଧାନସଭା ଅବକାରୀ ଗୃହ କମିଟି । ବଡ କଥା ହେଉଛି ଯେଉଁ କମିଟିି ଏହି ସୁପାରିଶ କରିଛି, ସେହି କମିଟିରେ ଅଛନ୍ତି ସବୁ ଦଳ ବିଧାୟକ ।
ମଦକୁ ନେଇ କାହିଁକି ଏପରି ପ୍ରୀତି? କାହିଁକି ଆସିଲା ପୁରସ୍କାର କଥା? ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କରିବା ସଂପର୍କୀତ ଗୃହ କମିଟିର ସୁପାରିଶ ପରେ ଏଭଳି କିଛି ପ୍ରଶ୍ନ ଏବେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି ପ୍ରଶ୍ନର କିଛି ସରଳ ଉତର ମିଳିଯିବ ଯଦି ଆପଣ ମଦରୁ ମିଳୁଥିବା ରାଜସ୍ୱର ପରିସଂଖ୍ୟାନ ଉପରେ ନଜର ପକାଇବେ ।
-୨୦୦୦-୦୧ ମସିହାରେ ଅବକାରୀ ବିଭାଗରୁ ରାଜ୍ୟ ସରକାର ପାଉଥିଲେ ୧୩୫.୩୫ କୋଟି
-୨୦୧୮-୧୯ରେ ୩, ୯୨୫ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୨୯ ଗୁଣ ଅଧିକ ରାଜସ୍ୱ ପାଇଲେଣି
- ଆଉ ଚଳିତ ବର୍ଷ ଏହା ୪,୬୦୦ କୋଟି ଟଙ୍କାରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି
ଅର୍ଥାତ୍ ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ପଛରେ କେଉଁଠି ନା କେଉଁଠି ରାଜସ୍ୱ ସଂଗ୍ରହ ଏକ ପ୍ରମୁଖ କାରଣ । ଏପଟେ ଷ୍ଟାଣ୍ଡିଂ କମିଟିର ଏହି ସୁପାରିଶକୁ ନେଇ ସୋସିଆଲ ମିଡ଼ିଆରେ ଜୋରଧରିଛି ଚର୍ଚ୍ଚା ।
ଜ୍ୟୋତି ପ୍ରକାଶ ମହାପାତ୍ର ଫେସବୁକରେ ଲେଖିଛନ୍ତି- ଅଧିକ ମଦ ବିକିଲେ ମଦ ଦୋକାନୀ ପୁରସ୍କୃତ ହେବେ । ହେ ମାନ୍ୟବର । ତୁମ ମସ୍ତିଷ୍କ ବେଶ ଉର୍ବର ।
ରୁଦ୍ର ପ୍ରସନ୍ନ ରଥ ଫେସବୁକରେ ଲେଖିଛନ୍ତି- ମଦ ବିକୁଥିବା ଦୋକାନୀ ଯଦି ପୁରସ୍କୃତ ହେବେ ମଦ ପିଉଥିବା ଗ୍ରାହକ କାହିଁକି ପୁରସ୍କୃତ ହେବେ ନାହିଁ ।
ଚିରଞ୍ଜୀବୀ କର ଫେସବୁକରେ ଲେଖିଛନ୍ତି- ଆଦର୍ଶ ଥାନା ପରି ଆଦର୍ଶ ମଦୁଆ ବି ଘୋଷଣା ହେବା ଉଚିତ । ଏମିତି କି ଏହାକୁ ନେଇ ସାଧାରଣରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ କହିଛନ୍ତି ସରକାର ମଦ ବ୍ୟବସାୟୀଙ୍କୁ ପୋତ୍ସାହିତ କରୁଛନ୍ତି କିନ୍ତୁ ମଦ ପିଇ ହସ୍ପିଟାଲରେ ଏତେ ଲୋକ ପଡୁଛନ୍ତି ସେଥିପ୍ରତି ସରକାରଙ୍କର ନିଘା ନାହିଁ । ଏଭଳି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ ।
ଏପଟେ ରାଜ୍ୟ ସରକାରଙ୍କୁ ଏଭଳି ଏକ ସୁପାରିଶ କରିଥିବା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସୁବ୍ରତ ତରାଇ କହିଛନ୍ତି- ଆବଶ୍ୟକ ପଡ଼ିଲେ ସଦସ୍ୟ ବିଧାୟକମାନଙ୍କୁ ନେଇ ସୁପାରିଶ ଉପରେ ଆଉଥରେ ବିଚାର କରାଯିବ । ଏବେ ଦେଖିବାର କଥା ଏହି ସୁପାରିଶକୁ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି ନା ବିବାଦକୁ ଏଡାଇବାକୁ ଅଣଦେଖା କରୁଛନ୍ତି ।