ସୁଲେମାନି ମୃତ୍ୟୁର ପରିଣାମ କଣ ହେବ? ସୋସିଆଲ ମିଡିଆରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବଢିଲା ଆଶଙ୍କା, ଇରାକରୁ ନିଜ ଦେଶର ନାଗରିକଙ୍କୁ ଫେରି ଆସିବାକୁ କହିଲା ଆମେରିକା ।

7,451

ଆମେରିକାର ଏୟାରଷ୍ଟ୍ରାଇକରେ ଇରାନର କୁର୍ଦ୍ଦଶ ସେନାର ପ୍ରମୁଖ ମେଜର ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପରେ ଚିହିଁକି ଉଠିଛି ଇରାନ୍ । ସୁଲେମାନିଙ୍କ ମୃତ୍ୟୁ ପରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଆଶଙ୍କାର କଳାବାଦଲ ଘୂରି ବୁଲୁଛି । କାରଣ ଇରାନର ଦ୍ୱିତୀୟ ସର୍ବୋଚ୍ଚ ଭାବେ ସୁଲେମାନିଙ୍କର ଦବଦବା ରହିଥିଲା । ତେଣୁ ତାଙ୍କ ମୃତ୍ୟୁ ଏବେ ଇରାନକୁ ବଡ ଝଟକା ଦେଇଛି । ଯେଉଁଥିପାଇଁ ଆମେରିକା ଠାରୁ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି ଇରାନ ।

ସୁଲେମାନିର ମୃତ୍ୟୁକୁ ନେଇ ଆମେରିକା ପକ୍ଷରୁ କୁହାଯାଇଛି ଯେ, ଇରାକ ଓ ମଧ୍ୟ-ପୂର୍ବ କ୍ଷେତ୍ରରେ ଆମେରିକାର ରାଷ୍ଟ୍ରଦୂତଙ୍କୁ ହତ୍ୟା କରିବାକୁ ବାରମ୍ବାର ପ୍ରୟାସ କରି ଆସୁଥିଲା ସୁଲେମାନି । ଏହାଛଡା ବିଦେଶରେ ଥିବା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସୁଲେମାନିକୁ ମାରିବା ଆବଶ୍ୟକୀୟ ଥିଲା । ଏହାଛଡା ଆମେରିକୀୟ ନାଗରିକଙ୍କୁ ତୁରନ୍ତ ଇରାକ ଛାଡି ସ୍ୱଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ଟ୍ରମ୍ପ ପ୍ରଶାସନ ।

ତେବେ ଏସବୁ ଭିତରେ ଆମେରିକାର ପୂର୍ବ ରାଷ୍ଟ୍ରଦୂତ ବ୍ରେଟ ମ୍ୟାକଗ୍ରେକ କହିଛନ୍ତି, ଆମେରିକା ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସୁଲେମାନିକୁ ମାରିଛି ସତ କିନ୍ତୁ ଏହାମଧ୍ୟ ସତ ଯେ ଆମେରିକା ଏବେ ଇରାନ ସହ ଯୁଦ୍ଧ ପାଇଁ ଏକପ୍ରକାର ମୈଦାନକୁ ଓହ୍ଲାଇ ସାରିଛି । ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା କିଛି ନୂଆ ନୁହେଁ କିନ୍ତୁ ଆମେରିକା ସୁଲେମାନିର ହତ୍ୟା କରିବା ପରେ ଏବେ ମଧ୍ୟ-ପୂର୍ବ କ୍ଷେତ୍ରରେ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଯଦି ଯୁଦ୍ଧ ହୁଏ ତେବେ ଏହା କେବଳ ଆମେରିକା ଓ ଇରାନ ମଧ୍ୟରେ ସୀମିତ ରହିବନି ବରଂ ଆମେରିକାର ସହଯୋଗୀ ଓ ଇରାନର ସହଯୋଗୀଙ୍କ ମଧ୍ୟରେ ବଡ ସାମରିକ ଆକ୍ରମଣ ଦେଖିବାକୁ ମିଳିପାରେ ।

ଇରାନର ସରକାରୀ ଗଣମାଧ୍ୟମରେ କୁହାଯାଇଛି ଯେ, ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୁଲେମାନିଙ୍କୁ ହତ୍ୟା କରି ସବୁଠୁ ବଡ ଭୁଲ କରିଛି । ଏହାର ପରିଣାମ ଅତି ସାଂଘାତିକ ହେବ ।  ଏହାପୂର୍ବରୁ ଗତ ମଙ୍ଗଳବାର ଇରାକରେ ଥିବା ଆମେରିକୀୟ ଦୂତାବାସ ଉପରେ ରକେଟ ଆକ୍ରମଣ କରାଯାଇଥିଲା । ସେତେବେଳେ ଇରାନକୁ ଏଥିପାଇଁ ଦାୟୀ କରିବା ସହ ଏହାର ଫଳ ଭୋଗିବାକୁ ଚେତାଇ ଦେଇଥିଲେ ଟ୍ରମ୍ପ । ଆଉ ସୁଲେମାନିଙ୍କ ହତ୍ୟା କରି ଆମେରିକା ଏହାର ପ୍ରତିଶୋଧ ନେଇଛି ବୋଲି କୁହାଯାଉଛି । ତେଣୁ ଆଗାମୀ ଦିନରେ ଏହି ତିକ୍ତତା କେଉଁ ଦିଗକୁ ଗତି କରୁଛି ତାହା ଉପରେ ବିଶ୍ୱବାସୀଙ୍କର ନଜର ରହିଛି ।