କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ମିଳୁଥିଲା ଧମକ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସକୁ ନୋଟିସ ପଠାଇଲା ଦିଲ୍ଲୀ ମହିଳା କମିଶନ ।

184

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ସମାଲୋଚନା କରାଯାଉଛି । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କ୍ରିକେଟ ପ୍ରଂଶସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ସବୁ ସୀମା ପାର କରି ଯାଇଛନ୍ତି । ମାନବିକତା ଭୁଲି ଯାଇଛନ୍ତି, ଖେଳାଳୀଙ୍କ ପରିବାରକୁ ଅସଭ୍ୟ ଭାଷାରେ ଗାଳି କରିବାକୁ ବି ପଛାଇ ନାହାନ୍ତି । ଏଭଳି ବ୍ୟକ୍ତିଙ୍କର ମାନସିକତା ଏତେ ନିମ୍ନସ୍ତରକୁ ଖସି ଯାଇଛି ଯେ, କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ନେଇ ଧମକ ଦେବା ସହ ଅପଶବ୍ଦ ବ୍ୟବହାର କରିଛନ୍ତି । ଆଉ ଏହି ଘଟଣାକୁ ନେଇ ଏବେ ଦିଲ୍ଲୀ ମହିଳା କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗକୁ ଆସିଛି ।

ଏହି ଘଟଣାରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ଏବଂ ଏବେ ପର୍ଯ୍ୟନ୍ତ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବାବଦରେ ତଥ୍ୟ ମାଗିଛି । ଦିଲ୍ଲୀର ସାଇବର କ୍ରାଇମ ସେଲକୁ ପ୍ରଶ୍ନ କରିବା ସହ କୋହଲିଙ୍କ ଝିଅକୁ ମିଳିଥିବା ଧମକ ବାବଦରେ ସୂଚନା ମାଗିଛି । ଏପ୍ରସଙ୍ଗରେ ତୁରନ୍ତ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମହିଳା କମିଶନର ମୁଖ୍ୟ ସ୍ୱାତୀ ମାଲିୱାଲ । ସ୍ୱାତୀ କହିଛନ୍ତି, ମ୍ୟାଚରେ ହାର-ଜିତ୍ ଲାଗି ରହିଥାଏ, କିନ୍ତୁ ଆମକୁ ଟିମ୍ ସହ ଛିଡା ହେବା ଆବଶ୍ୟକ । କୌଣସି ପରିସ୍ଥିତିରେ ଖେଳାଳୀଙ୍କ ପରିବାରକୁ ଏହି ସବୁ ମାମଲାରେ ଟାଣିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସ୍ୱାତୀ ।୮ ନଭେମ୍ବର ମଧ୍ୟରେ ଏହି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି ସ୍ୱାତୀ ।

ଚଳିତ ବିଶ୍ୱକପରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହେଲାଣି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ସେମିଫାଇନାଲ ଖେଳିବା ଆଶା ଧୀରେ ଧୀରେ ମଉଳିବା ଆରମ୍ଭ ହୋଇଛି । ଆଉ ୨ଟି ପରାଜୟ ପରେ ସୋସିଆଲ ମିଡ଼ିଆରେ କୋହଲିଙ୍କୁ ଟ୍ରୋଲ କରିଥିଲେ ୟୁଜର୍ସ । ଏହାପୂର୍ବରୁ କୋହଲିଙ୍କ ପରିବାର ଓ ଝିଅଙ୍କୁ ଧମକ ମିଳିବା ନେଇ ମୁହଁ ଖୋଲିଥିଲେ ପୂର୍ବତନ ପାକିସ୍ତାନ କ୍ରିକେଟର ଇଞ୍ଜାମାମ୍ ଉଲ୍ ହକ୍ । ମ୍ୟାଚରେ ହାର-ଜିତକୁ ନେଇ ଖେଳାଳୀଙ୍କ ପରିବାରକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଇଞ୍ଜାମାମ୍ ।