ସୋସିଆଲ ମିଡିଆକୁ ଆଇନ ପରିସରକୁ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି

କେନ୍ଦ୍ର ସରକାରଙ୍କୁ ଆଇନ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ; ଫେକ ନ୍ୟୁଜ, ହେଟ ସ୍ପିଚ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନୁରୋଧ

61

କନକ ବ୍ୟୁରୋ : ସୋସିଆଲ ମିଡିଆକୁ ଆଇନ ପରିସର ଭିତରେ ଆଣିବାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି, ସୋସିଆଲ ମିଡିଆରେ ଜରିଆରେ ଉତ୍ତେଜନା ସୃଷ୍ଟିକାରୀ ଓ ଫେକ ନ୍ୟୁଜ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମକଦ୍ଦମା ଚଲାଇବା ପାଇଁ ଆଇନ ତିଆରି କରାଯାଉ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲାରେ ଅନୁରୋଧ କରାଯାଇଛି । ଏହି ଆବେଦନରେ କେନ୍ଦ୍ର ସରକାର, କେନ୍ଦ୍ର ଗୃହମନ୍ତ୍ରାଳୟ, ଦୂରସଂଚାର ମନ୍ତ୍ରାଳୟ, ଟୁଇଟର କମ୍ୟୁନିକେସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଫେସବୁକ ଇଣ୍ଡିଆ ଆଦିକୁ ପକ୍ଷଭୁକ୍ତ କରାଯାଇଛି ।

ବିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଆବେଦନରେ ଦର୍ଶାଇଛନ୍ତି, ବର୍ତ୍ତମାନ ଦେଶର ସ୍ଥିତିକୁ ଦେଖି ମାମଲା କରିବାକୁ ସେ ବାଧ୍ୟ ହୋଇଛନ୍ତି । କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଆଣିବାକୁ ନିର୍ଦ୍ଦେଶ ଦେବା ବର୍ତ୍ତମାନ ସମୟରେ ଜରୁରୀ । ଅଭିବ୍ୟକ୍ତିର ସ୍ୱାଧିନତା ଏକ ଜଟିଳ ବିଷୟ । କାରଣ ଅଭିବ୍ୟକ୍ତି ସ୍ୱାଧିନତା ସହ ବିଶେଷ କର୍ତ୍ତବ୍ୟ ଓ ଦାୟିତ୍ୱ ପାଳନ କରିବାକୁ ପଡିଥାଏ । ତେଣୁ ଏହି ଅଧିକାର ଆଇନ ଦ୍ୱାରା ଦିଆଯାଇଥିବା କିଛି ପ୍ରତିବନ୍ଧକ ଅଧିନରେ ରହିଛି । ଆଡଭୋକେଟ ବିନିତ ଜିନ୍ଦଲ ତାଙ୍କ ଆବେଦନରେ ଲେଖିଛନ୍ତି, ସୋସିଆଲ ମିଡିଆ ପାଇଁ ବିଭିନ୍ନ ଦେଶ ଲାଗୁ କରିଥିବା ଆଇନର ମାନଦଣ୍ଡକୁ ଅନୁଧ୍ୟାନ କରିବା ଉଚିତ । ଫଳରେ ଏପରି ନିର୍ଦ୍ଦେଶ ଦିଆଯାଇପାରିବ ଯାହା ବାକ୍ ସ୍ୱାଧିନତା ଓ ସୋସିଆଲ ମିଡିଆ ପ୍ଲାଟଫର୍ମର ଉତ୍ତରଦାୟୀ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବ ।

ଜନସ୍ୱାର୍ଥ ମାମଲାରେ ଏହା ବି କୁହାଯାଇଛି, ଅତୀତରେ ଦେଶ ଅନେକ ସାଂପ୍ରଦାୟିକ ହିଂସା ଦେଖିଛି । ହେଲେ ସୋସିଆଲ ମିଡିଆ ଯୋଗୁଁ ଏଭଳି ଆକ୍ରମକତା କେବଳ ସ୍ଥାନୀୟ କିମ୍ବା ଆଂଚଳିକ ନହୋଇ ରାଷ୍ଟ୍ରୀୟ ପ୍ରସଙ୍ଗରେ ପରିଣତ ହେଉଛି । ଗୁଜବ, ବ୍ୟଙ୍ଗ ଓ ଘୃଣା ଏକ ଅଂଚଳରେ ସାଂପ୍ରଦାୟିକତା ସଂଘର୍ଷରେ ନିଆଁ ଲଗାଇବା କାମ କରିଥାଏ । ଆଉ ଏହି ନିଆଁ ସୋସିଆଲ ମିଡିଆ ଜରିଆରେ ସାରା ଦେଶକୁ ବ୍ୟାପିଯିବାର ସମ୍ଭାବନା ରହିଛି । ଆଜି ଏକ ଆଂଚଳିକ ସାଂପ୍ରଦାୟିକ ସଂଘର୍ଷକୁ ମାତ୍ର କିଛି ସେକେଣ୍ଡ ଭିତରେ ରାଷ୍ଟ୍ରୀୟ ପ୍ରସଙ୍ଗ କରାଯାଇପାରେ ବୋଲି ଆବେଦନରେ ଦର୍ଶାଯାଇଛି ।