‘ରାଜଧାନୀରେ ଆରମ୍ଭ ହେଉ ‘ମୋ ଡଙ୍ଗା ଯୋଜନା’ । ରାସ୍ତା ଉପରେ ଚାଲୁ ଡଙ୍ଗା’

ବର୍ଷାରେ ଭୁବନେଶ୍ୱର ବେହାଲ ହେବା ପରେ ଭାଇରାଲ ହେଲା ଏଭଳି ମିମ୍ସ ।

413

କନକ ବ୍ୟୁରୋ: ଆରମ୍ଭ ହେଉ ମୋ ଡଙ୍ଗା ଯୋଜନା । ରାଜଧାନୀ ରାସ୍ତାରେ ଚାଲୁ ଡଙ୍ଗା । ଲଗାଣ ବର୍ଷାରେ ରାଜଧାନୀ ବେହାଲ ହେବା ପରେ, ଏମିତି କିଛି ମିମ୍ସ ସୋସିଆଲ୍ ମିଡିଆରେ ହଠାତ୍ ଭାଇରାଲ୍ ହୋଇଥିଲା । ଆଉ ଲୋକମାନେ ଏହାକୁ ଜୋରଦାର ସେୟାର୍ କରିବାକୁ ଲାଗିଥିଲେ । ପ୍ରଶାସନିକ ବିଫଳତା ହେଉ ଅବା ରେକର୍ଡ ଭଙ୍ଗା ବର୍ଷା । ରାଜଧାନୀର ଏଭଳି ଅବସ୍ଥାକୁ ନେଇ ଲୋକଙ୍କ ଭିତରେ କିନ୍ତୁ ଅସନ୍ତୋଷ ଦେଖା ଦେଇଥିଲା । ଆଉ ଯାହାର ଫଳସ୍ୱରୂପ ଏହି ମିମ୍ସ ଭାଇରାଲ ହେବାକୁ ଲାଗିଥିଲା ।

କେଉଁଠି ରାସ୍ତା ବୁଡିଥିଲା, କେଉଁଠି ଘର ଦବିଥିଲା । ରେକର୍ଡ ବର୍ଷା ପରେ ସ୍ମାର୍ଟ ସିଟିର ସ୍ମାଟ ରାଜପଥରେ ଚାଲିଥିଲା ଅଣ୍ଟାଏ ଉଚ୍ଚର ପାଣି । ଆଉ ଏହାକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ଗୋଟିଏ ପରେ ଗୋଟିଏ ମିମ୍ସ ।

ନଜର ପକାନ୍ତୁ, ଏହି ଫଟୋ ଉପରେ, ରାଜଧାନୀରେ ମୋ ଡଙ୍ଗା ଯୋଜନା ଆରମ୍ଭ କରିବାକୁ ତିଆରି ହୋଇଛି ଏକ ମିମ୍ସ । ରାଜଧାନୀର ରାଜପଥରେ ପାଣି ଲହରୀ ମାଡିବା ପରେ, ଏଭଳି ମିମ୍ସକୁ ସେଆର୍ କରିଛନ୍ତି ଅନେକ ୟୁଜର୍ସ ।ସେହିପରି ନଜର ପକାନ୍ତୁ, ଆଉ ଗୋଟିଏ ଫଟୋ ଉପରେ । ରାଜଧାନୀର ଇସ୍କନ ମନ୍ଦିର ସାମ୍ନାର ଏହି ଚିତ୍ରକୁ , କିଛି ୟୁଜର୍ସ ୱାଟର ପାର୍କ ବୋଲି ବି କହିଛନ୍ତି । ଯାହାର ତୁଳନା ରାଜ୍ୟର ବଡ ବଡ ୱାଟର ପାର୍କ ସହିତ କରାଯାଇଛି । ଫୁଲନଖରା, ପୁରୀ , ମାଳତୀପାଟପୁରରେ ଥିବା ରାଜ୍ୟର ବଡ ବଡ ୱାଟର ପାର୍କକୁ ରାଜଧାନୀର ଇସ୍କନ ମନ୍ଦିର ସାମ୍ନା ଚିତ୍ର ସହିତ ତୁଳନା କରିଛନ୍ତି ୟୁଜର୍ସ ।ଖାଲି ସେତିକି ନୁହେଁ, ସେହି ସମାନ ଚିତ୍ରରେ ଆଉ ଗୋଟିଏ ମିମ୍ସ ମଧ୍ୟ ପ୍ରବଳ ଭାଇରାଲ ହୋଇଛି । ଯେଉଁଥିରେ ଭୁବନେଶ୍ୱର ଓ କଟକ ଭିତରେ ଜାହାଜ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ସେଆର କରି, ୟୁଜର୍ସ ଲେଖିଛନ୍ତି, ରାଜଧାନୀ ରାଜରାସ୍ତାରେ ଚାଲିଲା ଜାହାଜ । ବର୍ଷା ଯୋଗୁ ରାସ୍ତାରେ ଅତ୍ୟଧିକ ପାଣି ଜମିବା ଦେଖି ସରକାର ନେଇଛନ୍ତି ଉତ୍ତମ ପଦକ୍ଷେପ ।

ପ୍ରବଳ ବର୍ଷାରେ ରାଜଧାନୀ ବୁଡିବା ପରେ ଏଭଳି ଅନେକ ଫଟୋ ସୋସିଆଲ୍ ମିଡିଆରେ ଚହଳ ପକାଇଥିଲା । ଆଉ ୟୁଜର୍ସମାନେ ଏହାକୁ ସେଆର୍ କରିବାକୁ ଲାଗିଥିଲେ । ତେବେ ରାଜଧାନୀର ଏହି ବର୍ଷା ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି । ୬୩ ବର୍ଷ ପରେ ସେପ୍ଟେମ୍ବର ମାସରେ ରାଜଧାନୀରେ ସବୁଠୁ ଅଧିକ ବର୍ଷା ହୋଇଛି । ଖାଲି ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ବର୍ଷାର ବୀଭତ୍ସ ଚିତ୍ର ଦେଖିବାକୁ ମିଳିଛି । ଆଉ ଲୋକମାନେ ହନସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।