କନକ ବ୍ୟୁରୋ: ସୋସିଆଲ୍ ମିଡ଼ିଆ ଯୁଗରେ ପଛରେ ପଡ଼ିନି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଜି.ଉଦୟଗିରି ଅଂଚଳର ଜଣେ ଉଚ୍ଚଶିକ୍ଷିତ ଯୁବକ ଏବେ ସୋସିଆଲ୍ ମିଡ଼ିଆ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଜି ଉଦୟଗିରି ବ୍ଳକ୍ କଳିଙ୍ଗା ପଂଚାୟତର ଆମନ୍ ଚନ୍ଦ୍ର ନାୟକ ଟ୍ୱିଟ୍ କରି ପ୍ରଶଂସା ସାଉଁଟୁଛନ୍ତି ।

ଅମନ୍ ଚନ୍ଦ୍ର ନାୟକ । ବିଟେକ ପରେ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ଚାକିରି ପଛରେ ନପଡି ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ପାଖରେ ପହଂଚାଉଛନ୍ତି ଗାଁ ସମସ୍ୟା । ନିଜ ନଜରରେ ପଡୁଥିବା ସମସ୍ୟା ସଂପର୍କରେ ଟ୍ୱିଟ୍, ଇ-ମେଲ୍ ଓ ଚିଠି ଲେଖୁଛନ୍ତି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୋ' ସରକାର, ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଉଛନ୍ତି । ଆଉ ସମସ୍ୟାର ସମାଧାନ ହେଲା ପରେ ସଂପୃକ୍ତ ଅଧିକାରୀ ଓ ତାଙ୍କ ବିଭାଗକୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇବାକୁ କେବେ ଭୁଲିନଥା'ନ୍ତି ଅମନ ।

ନିଜର ଉଚ୍ଚ ଶିକ୍ଷା ସରିବା ପରେ ଗ୍ରାମାଂଚଳ ସମସ୍ୟା ସମାଧାନ ପାଇଁ ମନ ବଳାଇଛନ୍ତି ଅମନ୍ । ସକାଳୁ ସଂଜ ଯାଏଁ ନିଜ ଅଂଚଳରେ ବୁଲି ଲୋକଙ୍କ ସମସ୍ୟା ବାବଦରେ ତଥ୍ୟ ସଂଗ୍ରହ କରନ୍ତି । ତା'ପରେ ଏହାର ସମାଧନ ଦିଗରେ ଉଦ୍ୟମ ଆରମ୍ଭ କରନ୍ତି । ବର୍ଷେ ଭିତରେ ୧ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍ କରିବା ସହ ୨୦୦ରୁ ଅଧିକ ଅନଲାଇନ୍ ଅଭିଯୋଗ କରିଛନ୍ତି । ସେଥିମଧ୍ୟରୁ ୧୨୯ଟି ସମାଧାନ ହୋଇଥିବା ବେଳେ ବହୁ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଜାରି ରହିଛି । ୩୦ରୁ ଅଧିକ ଇ-ମେଲ୍ ପଠାଇ ସ୍ଥାନୀୟ ଅଂଚଳର ସମସ୍ୟା ପାଇଁ ସରକାରଙ୍କୁ ଉତ୍ତରଦାୟୀ କରାଇଛନ୍ତି ଅମନ ।

ଏହାସହ ଆମନ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର, ଗରିବ ଅସହାୟଙ୍କୁ କମ୍ବଳ ବଂଟନ ଓ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଛନ୍ତି ।