ଭାଗ୍ୟ ବଦଳାଇଦେଲା ସୋସିଆଲ ମିଡିଆ । ଭାଇରାଲ ହେଲା ବୃଦ୍ଧଙ୍କ କାନ୍ଦୁଥିବା ଭିଡିଓ । ରାତାରାତି ଚର୍ଚ୍ଚାକୁ ଆସିଲା ‘ବାବା କା ଢାବା’ ।

221

କନକ ବ୍ୟୁରୋ : ଡିଜିଟାଲ ଯୁଗର ବ୍ରହ୍ମାସ୍ତ୍ର ସୋସିଆଲ ମିଡିଆ । କେତେବେଳେ କାହାକୁ ରାଜା କରିନିଏ ତ କେତେବେଳେ କାହାକୁ ରଙ୍କ । ଅନେକଙ୍କ ଭବିଷ୍ୟତ ଆଖିପଛୁଳାକେ ବଦଳାଇଦେବାର କ୍ଷମତା କେମିତି ରଖିଛି ସୋସିଆଲ ମିଡ଼ିଆ ତାହା ବାବା କା ଢ଼ାବା ହିଁ ବୟାନ କରୁଛି । ଦିଲ୍ଲୀର ମାଲବିୟ ନଗରରେ ଜଣେ ବୃଦ୍ଧଙ୍କ ଛୋଟିଆ ଢାବା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ଢାବାରେ ବିକ୍ରି ନେହେବା ଯୋଗୁଁ ବୃଦ୍ଧ ଜଣକ ଭାବବିହ୍ୱଳ ହୋଇ କାନ୍ଦୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ବୃଦ୍ଧ ଜଣକ କାନ୍ଦିକି ତାଙ୍କ ଦୁଃଖ କଥା କହୁଥିବା ବେଳେ ଜଣେ ବ୍ୟକ୍ତି ଭିଡିଓ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ଭିଡିଓକୁ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ସେୟାର କରିଥିଲେ । ରବିନା ଟଣ୍ଡନ, ସୁନୀଲ ସେଟ୍ଟୀ, ରନ୍ଦିପ ହୁଡା, ସ୍ୱରା ଭାସ୍କର ଓ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ଏହି ଭିଡିଓକୁ ସେୟାର କରିବା ସହ ଏଠାରେ ଖାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।

ରବିନା ଟଣ୍ଟନ ଟ୍ୱିଟ କରି ଲେଖିଛନ୍ତି, ଏଠି ଯିଏ ଖାଇବା ସହ ମୋତେ ଫଟୋ ପଠେଇବ ମୁ ତାଙ୍କ ଫଟୋ ସେୟାର କରିବା ସହ ତାଙ୍କ ପାଇଁ ଗୋଟେ ମେସେଜ ଦେବି । ସେହିପରି ସୁନୀଲ ସେଟ୍ଟୀ ଲେଖିଛନ୍ତି, ଚାଲନ୍ତୁ ତାଙ୍କ ହସକୁ ଫେରାଇ ଆଣିବା ପାଇଁ ତାଙ୍କୁ ସାହାଯ୍ୟ କରିବା ।
ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଖୁବ ଭିଡ ଲାଗିଛି । ଲୋକମାନେ ଖାଇବା ସହ ପାର୍ସଲ ଅର୍ଡର ମଧ୍ୟ ଦେଉଛନ୍ତି । ଏନେଇ ବୃଦ୍ଧ ଜଣକ କହିଛନ୍ତି କି, ପୂର୍ବରୁ ବିକ୍ରି ଭଲ ଚାଲିଥିଲା, ୧୯୯୦ ମସିହାରୁ ସେ ଢାବା ଚଲାଉଛନ୍ତି ।

ତେବେ ସୋସିଆଲ ମିଡ଼ିଆର ନମ୍ବର ୱାନ୍ ଟ୍ରେଣ୍ଡରେ ଥିବା ବାବା କା ଢ଼ାବାରେ ଏବେ ଭିଡ଼ ଦେଖିବାକୁ ମିଳିଛି । ଏହି ସବୁ ପରେ ଏବେ ବୃଦ୍ଧ ଜଣକ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସତରେ ସୋସିଆଲ ମିଡ଼ିଆ ଏକ କଏନର ଦୁଇ ପାଶ୍ୱର୍ ଭଳି, ରାତାରାତି କାହାର ଭାଗ୍ୟ କୁଣ୍ଡଳୀକୁ ବିଗାଡ଼ି ଦେଇପାରେ ତ ଆଉ କାହାର ଭବିଷ୍ୟତ ସଜାଡ଼ି ବି ଦେବାର କ୍ଷମତା ରଖିଥିବା ଏହି ବାବା କା ଢ଼ାବାରୁ ହିଁ ଜଣାପଡ଼ିଛି ।