କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବଣ୍ଟାଯାଉଥିଲା ରାସନ୍ … ସାମାଜିକ ଦୂରତାକୁ ଭୁଲିଲେ ଲୋକେ । ସୋସିଆଲ୍ ମିଡିଆରେ ବିଧାୟକ ମାଗିଲେ କ୍ଷମା ।

253

କରୋନା ଘଡ଼ିରେ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାକୁ ଅସ୍ତ୍ର କରିଛନ୍ତି ସରକାର । କିଛି ଲୋକ ଏହାକୁ ମାନୁଥିବା ବେଳେ ଆଉ କିଛି ଏହାକୁ ଫୁ’ କରି ଉଡାଉଛନ୍ତି । କିନ୍ତୁ ଭୋକରେ ପେଟ ପୋଡିଯାଉଥିବା ଲୋକ କ’ଣ ବା ବୁଝିବ ସାମାଜିକ ଦୂରତାର ମୂଲ୍ୟ! ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ ।

ନିକଟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଜନ୍ମଦିନ ଅବସରରେ ଇନ୍ଦୋରର ପୂର୍ବ ବିଧାୟକ ସୁଦର୍ଶନ ଗୁପ୍ତା ଗରିବଙ୍କୁ ରାସନ୍ ବାଣ୍ଟିବା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେ କିଛି ସମୟ ଗରିବ ଲୋକଙ୍କ ଗହଣରେ ଅଟକିଥିଲେ । କିନ୍ତୁ ସେ ଯିବାପରେ ସାମାଜିକ ଦୂରତାକୁ ଛାଟ ମାରିବା ପରି ଅବସ୍ଥା ଉତ୍ପର୍ଣ୍ଣ ହୋଇଥିଲା । 

ଆପଣଙ୍କୁ କହିରଖୁଛୁ , ଭାଇରସ୍ ସଂକ୍ରମଣରେ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମଧ୍ୟପ୍ରଦେଶ ମଧ୍ୟ ଆସୁଛି । କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ଖାଦ୍ୟସାମଗ୍ରୀ ବଣ୍ଟନ ପାଇଁ ୨୦୦୦ ଗରିବ ପରିବାରକୁ ଡକାଯାଇଥିଲା । ରାସନ୍ ବାଣ୍ଟିବା ସମୟରେ ଲୋକଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଲା । ରାସନ୍ ପାଇବା ଆଶାରେ ସାମାଜିକ ଦୂରତା ଭୁଲି ଲୋକଙ୍କ ମଧ୍ୟରେ ପ୍ରବଳ ଗହଳି ଦେଖିବାକୁ ମିଳିଲା  । ଅଧିକ ରାସନ୍ ମିଳିବା ଆଳରେ ଯେ ଯେତେ ପାରିଲା ଖାଦ୍ୟ ପ୍ୟାକେଟ୍ ବୋହି ନେଇଗଲା । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଧାୟକ ଏନେଇ କ୍ଷମାପ୍ରାର୍ଥନା କରିଥିଲେ । ସେ ଲୋକଙ୍କୁ ସାମାଜିକ ଦୂରତା ମଧ୍ୟରେ ବସାଇ ଟୋକନ୍ ବ୍ୟବସ୍ଥା କରି ଖାଦ୍ୟସାମଗ୍ରୀ ବାଣ୍ଟୁଥିଲେ କିନ୍ତୁ ପରେ ଅବ୍ୟବସ୍ଥା ଉତ୍ପର୍ଣ୍ଣ ହେବାରୁ ସେ କ୍ଷମା ମାଗିଥିଲେ ।