ସାମାଜିକ ଦୂରତାକୁ ଫୁ’ ଲୋକାରଣ୍ୟ ପ୍ଲାଟ୍‌ଫର୍ମ : କରୋନା ହେଲେ ବଞ୍ଚିଯିବୁ, କାମ ନ ମିଳିଲେ ମରିଯିବୁ

291

କନକ ବ୍ୟୁରୋ : ବାବୁ କାମକୁ ଡକେଇଛନ୍ତି । କାଲି ସନ୍ଧ୍ୟାରୁ ହାଓଡ଼ାରୁ ଆସିଲୁଣି । ପୁନେକୁ ଟ୍ରେନ୍‌ ଗଡ଼ିଲେ ଯିବୁ। ୬ମାସ ହେଲା ହାତକୁ ଟଙ୍କାଟେ ଆସିନି । ପାଖରେ ଏତେ ପଇସା ନାହିଁ ଯେ କେଉଁ ଲଜ୍‌ରେ ରହିଯିବୁ । ତେଣୁ ଏଇ ପ୍ଲାଟ୍‌ଫର୍ମରେ ଶୋଇ ପଡ଼ିଥିଲୁ। ଏଠି ଏତେ ଭିଡ଼ ଯେ କାହାଠୁ ଦୂରେଇ ଶୋଇବା ସମ୍ଭବ ନୁହେଁ । କରୋନାକୁ କାହାର ଡର ନାହିଁ, ହେଲେ କ’ଣ କରିବୁ ? କରୋନା ହେଲେ ହୁଏତ ବଞ୍ଚିଯିବାର ସମ୍ଭାବନା ଅଛି, କିନ୍ତୁ କାମ ନ ମିଳିଲେ ମରିଯିବୁ । ପୁନେରେ ମେଟ୍ରୋ କମ୍ପାନିରେ ବ୍ରିଜ୍‌ ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିବା ହାଓଡ଼ାର ଅଜୟ ପାହାଡ଼ିଆ ମୁହଁର ଏହି ଦୟନୀୟ ଅଭିବ୍ୟକ୍ତି ସୂଚେଇ ଦେଉଥିଲା, ସେମାନେ କରୋନା ଓ ବେରୋଜଗାର ହେବା ପରେ କେତେ ଅସହାୟ ହୋଇପଡ଼ିଛନ୍ତି । କେବଳ ଅଜୟ ନୁହନ୍ତି, ତାଙ୍କ ଭଳି ହଜାର ହଜାର ଯୁବକ ବିନା କୌଣସି ସତର୍କତାରେ କାମ ଅନ୍ବେଷଣରେ ଟ୍ରେନ୍‌ ବାଟକୁ ଚାହିଁ ବସିଥିଲେ । ରାଜଧାନୀର ମୁଖ୍ୟ ରେଳ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରି ପଡ଼ି ରହିଥିବା ଅଧିକାଂଶଙ୍କର ସେଇ ସମାନ ଦୁଃଖ । ସମସ୍ତଙ୍କର କାମ ଦରକାର । କରୋନା ମହାମାରୀ ଯେ କେବଳ ଲୋକଙ୍କୁ ଆକ୍ରାନ୍ତ ହେବାର ଡର ଦେଖେଇଛି, ତାହା ନୁହେଁ, ବରଂ ଅନେକଙ୍କ ଜୀବନଠୁ ଜୀବିକା ଛଡ଼େଇ ନେଇ ତାଙ୍କୁ ନିଃସହାୟ କରିଦେଇଛି ।

ବିଡ଼ମ୍ବନା ଏହି ଯେ ସାମାଜିକ ଦୂରତା ତ ଭିନ୍ନ କଥା, ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା। ଯଦି କେହି କରୋନା ଆକ୍ରାନ୍ତ ଏମାନଙ୍କ ମଧ୍ୟରେ ଥି‌ବେ, ତେବେ ସଂକ୍ରମଣକୁ ଟ୍ରେନ୍‌ରେ ନେଇ ପୁଣି ବାହାର ରାଜ୍ୟରେ ପହଞ୍ଚିବେ । କରୋନା ଯୋଗୁଁ ପ୍ଲାଟ୍‌ଫର୍ମ ଛାତ ତଳେ ଗୋଲେଇ ଆଙ୍କି ସାମାଜିକ ଦୂରତା ରଖିବା ପାଇଁ ସୂଚନା ଦିଆଯାଇଛି । ପ୍ରବେଶ ଅବରୋଧ ପାଇଁ ସାମ୍ନାରେ ବାଡ଼ ଦିଆଯାଇଛି । ତଥାପି ମହାମାରୀ ଦାଉଠୁ ଭୋକର ଦାଉ ବଳିଗଲାଣି । ତେଣୁ ଏସବୁକୁ ଭ୍ରୂକ୍ଷେପ ନକରି ଅନେକ ନିଜର କର୍ମସ୍ଥଳୀକୁ ଫେରିବା ପାଇଁ ପ୍ଲାଟ୍‌ଫର୍ମରେ ଅପେକ୍ଷା କରିଛନ୍ତି ।

ଅନ୍ୟପକ୍ଷରେ ସଂପ୍ରତି ଭୁବନେଶ୍ବର-ମୁମ୍ବାଇ, ଭୁବନେଶ୍ବର-ନୂଆଦିଲ୍ଲୀ ଓ ଭୁବନେଶ୍ବର-ହାଓଡ଼ାକୁ ୩ଟି ଟ୍ରେନ୍‌ ଚାଲୁଥିବାରୁ ଏହା କର୍ମସ୍ଥଳୀ ଫେରନ୍ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଅନେକ ଟ୍ରେନ୍‌ ଚଳାଚଳ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ନଥାଇ ଚାଲି ଆସିଥିବାରୁ ୨ଦିନ ହେବ ଅପେକ୍ଷା କଲେଣି। କାମର ଭୋକ ଏତେ ଯେ ସେମାନେ ଆଉ ଘରେ ଅଟକିବା ସପକ୍ଷରେ ନାହାନ୍ତି। ଏହା ବ୍ୟତୀତ କିଛି ବଞ୍ଜାରାମାନେ ପ୍ଲାଟ୍‌ଫର୍ମରେ ସାହାରା ନେଇଛନ୍ତି। ପ୍ଲାଟ୍‌ଫର୍ମ ଅପରିଚ୍ଛନ୍ନ ହୋଇ ପଡ଼ି ରହିଥିବାରୁ ସେଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି । ଦୁଇଦିନ ମଧ୍ୟରେ ପ୍ଲାଟ୍‌ଫର୍ମକୁ ସାନିଟାଇଜ୍‌ କରାଯାଇନାହିଁ ବୋଲି ଯାତ୍ରୀମାନେ କହିଛନ୍ତି। ଅନ୍ତତଃ ପ୍ଲାଟ୍‌ଫର୍ମ ବାହାରେ ଛାମୁଡିଆ କରାଯାଇ ପାରିଲେ ସେମାନଙ୍କ ମଧ୍ୟରେ ଦୂରତା ରକ୍ଷା ହୋଇପାରନ୍ତା । ଏହାବ୍ୟତୀତ କିଛି ବ୍ୟକ୍ତି ଯଦିଓ କଟକଣା ମାନିବାକୁ ଚାହୁଁଛନ୍ତି କିନ୍ତୁ ଉପାୟ ନାହିଁ। ତେଣୁ ରେଳ ସୁରକ୍ଷା ବଳ ତରଫରୁ ଏନେଇ ତାଗିଦ୍‌ କରାଗଲେ ଭଲ ହୁଅନ୍ତା ବୋଲି କିଛି ଯାତ୍ରୀ କହିଛନ୍ତି ।