ଯାଜପୁରର ଅପହଞ୍ଚ ଅଂଚଳ ତୁମୁଣିରେ ରିଲିଫ୍ ପହଞ୍ଚାଇଲେ ଓଆଇଏସଏଫ୍ କମାଣ୍ଡାଣ୍ଟ: କାନ୍ଧରେ ରିଲିଫ୍ ବୋହି ଚାଲିଲେ ୪ କିମି; ନିଜ ଖର୍ଚ୍ଚରେ ୨୩ ଆଦିବାସୀ ପରିବାରଙ୍କୁ ବାଂଟିଲେ ଶୁଖିଲା ଖାଦ୍ୟ

130

କନକ ବ୍ୟୁରୋ: ନଗଡା ପରି ଯାଜପୁର ଜିଲ୍ଲାର ଆଉ ଏକ ଅପହଁଚ ଗାଁ ହେଉଛି ତୁମୁଣି । ରାଜ୍ୟରେ ୨୧ ଦିନିଆ ତାଲାବନ୍ଦ ଲାଗୁ ପରେ ଅନେକ ଅଂଚଳରେ ଲୋକେ ଭୋକ ଉପାସରେ ରହିଛନ୍ତି । ବଣଜଙ୍ଗଲ ଘେରା ଅଂଚଳ ତୁମୁଣିରେ ବସବାସ କରୁଛନ୍ତି ୨୩ଟି ଜୁଆଙ୍ଗ ପରିବାର । ଏପରି ସମୟରେ ତୁମୁଣି ଗାଁରେ ଭୋକିଲା ଆଦିବାସୀଙ୍କ ନିକଟରେ ରିଲିଫ୍ ପହଁଚାଇଛନ୍ତି ଜଣେ ଓଆଇଏସଏଫ୍ ଜବାନ । ନିଜ ବ୍ୟକ୍ତିଗତ ଉଦ୍ୟମରେ ସେ ଗ୍ରାମବାସୀଙ୍କୁ ରିଲିଫ ବଂଟନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ରିଲିଫ୍ ସାମଗ୍ରୀଙ୍କୁ ଧରି ଓଆଇଏସଏଫ୍ ଆସିଷ୍ଟାଂଟ କମାଣ୍ଡଂଟ ରମେଶଚନ୍ଦ୍ର ମହାନ୍ତି ପ୍ରାୟ ୪ କିଲୋମିଟର ବାଟ ଜଙ୍ଗଲ ଦେଇ ଯାତ୍ରା କରିଥିଲେ । ଚାଉଳ, ଚୁଡା, ଚିନି, ପରିବା ସହ ଦୁସ୍ଥ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ କଟକଣା ଆହୁରି ଜୋରଦାର ହୋଇଛି । ଆକ୍ରାନ୍ତଙ୍କ ଗାଁ ସମେତ ମୋଟ ୧୨ଟି ଗାଁକୁ ସିଲ କରାଯାଇଛି । ଏହାର ୩ କିଲୋମିଟର ପରିସିମାରେ ଥିବା ଗାଁର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ଜିଲ୍ଲା ପ୍ରଶାସନ । ଆଳି ବ୍ଲକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ କଟକ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଆକ୍ରାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ କ୍ୱାରେନଟାଇନ୍ରେ ରଖାଯାଇଛି । ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇ ସଂପୃକ୍ତ ଗାଁକୁ ସିଲ କରି ସାନିଟାଇଜ୍ କରିଛି ପ୍ରଶାସନ ।

ସେପଟେ, ଅପହଂଚ ଅଂଚଳ ଥୋରିଆଛନ୍ଦା ଓ ସର୍ପଣୀରେ ଭୋକିଲା ମଣିଷଙ୍କ ନିକଟରେ ପହଁଚିଲା ସହାୟତା । କାମାକ୍ଷାନଗର ଉପଖଣ୍ଡର ବଣପାହାଡ ଘେରା ଅଂଚଳରେ ରହିଛି ଏହି ଦୁଇଟି ଗ୍ରାମ । ଏଠାକାର ଗ୍ରାମବାସୀ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ବଂଚିତ ଅଛନ୍ତି । ଏପରି ଅଂଚଳରେ ଲୋକଙ୍କୁ ସହାୟତାର ହାତ ବଢାଇଛି ବାଲାଜୀ କମ୍ପାନୀ । ଚାଉଳ , ଡାଲି, ପନିପରିବା , ସାବୁନ, ଡେଟଲ ପରି ସାମଗ୍ରୀ ପ୍ରାୟ ୫୦ଟି ପରିବାରକୁ ବଂଟନ କରାଯାଇଛି ।