କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଗତକାଲି ସନ୍ଧ୍ୟାରେ ସନ୍ଧାନ ମିଳିଛି । ବ୍ରହ୍ମପୁର ହିଲପାଟଣାସ୍ଥିତ ତାଙ୍କ ଘରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଠାବ କରାଯାଇଛି । ପ୍ରଫୁଲ୍ଲଙ୍କୁ ରାୟଗଡାର ଏକ ହୋଟଲେରୁ କିଛି ଅଜଣା ଲୋକ ନେଇଯାଇଥିଲେ । ପ୍ରଫୁଲ୍ଲ ସାମନ୍ତରା ବେଦାନ୍ତ ବିରୋଧୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ରାୟଗଡା ଆସି ଏକ ଘରୋଇ ହୋଟେଲରେ ରହିଥିଲେ । ପ୍ରଫୁଲ୍ଲ ସାମନ୍ତରା ରାଜ୍ୟର ଜଣେ ପରିବେଶବିତ ଭାବେ ଜଣାଶୁଣା ।

Advertisment

ନିୟମଗିରିରେ ଡଙ୍ଗରିଆଙ୍କ ଅଧିକାରୀ ପାଇଁ ସେ ଦୀର୍ଘଦିନ ହେଲା ଲଢେଇ ଜାରି ରଖିଛନ୍ତି । ପ୍ରଫୁଲ୍ଲଙ୍କ କହିବା ମୁତାବକ, ୧୫ଦିନ ହେବ ଘରୋଇ କମ୍ପାନିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି, ସେମାନଙ୍କ ବିରୋଧରେ ୟୁଏପିଏ ଲଗାଇ ଗିରଫ କରାଯାଉଛି।  ସେମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ ରାୟଗଡ଼ା ଯାଇଥିଲେ । ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। କିନ୍ତୁ ୩ଟା ୪୦ ମିନିଟ୍‌ରେ ରୁମ୍‌ ବାହାର ପଟୁ କେହି ବନ୍ଦ କରିଦେଇଥିଲେ ।

ଖୋଲିବା ପାଇଁ ଡାକିବାରୁ, ତିନିଜଣ ଲୋକ ସାଦା ପୋଷାକରେ ଭିତରକୁ ପଶି ଆସିଥିଲେ । ତାଙ୍କ ଫୋନ୍‌ ଛଡ଼ାଇ ଦେବା ସହ ନାଁ ପଚାରିଥିଲେ । ନାଁ କହିବା ମାତ୍ରେ କାନ୍ଧରେ ପକାଇଥିବା ଗାମୁଛାରେ ହାତକୁ ବାନ୍ଧିଦେଲେ । ପ୍ରତିବାଦ କରିବାରୁ ମୁହଁକୁ ବାନ୍ଧି ଗୋଟିଏ ଗାଡ଼ିରେ ବସାଇ ଦେଇଥିଲେ। ପ୍ରାୟ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚାଲିଲା ପରେ ବ୍ରହ୍ମପୁରରେ ଛାଡ଼ି ଦେବେ ବୋଲି ଅଜଣା ବ୍ୟକ୍ତି କହିଥିଲେ । ବ୍ୟାଗ୍‌ କଥା ପଚାରିବାରୁ, ତାହା ଘରେ ପହଞ୍ଚିଯିବ କହି ଅଧାରାସ୍ତାରେ କ୍ଷମା ମାଗିଥିଲେ ।