ଦୈନିକ ରାତିରେ ଯାଉଥିଲା ପ୍ରେମିକ ଘରକୁ । ପଡିଗଲା ପରିବାର ଲୋକଙ୍କ ହାବୁଡରେ । ଘରେ ବାନ୍ଧି ରାତିସାରା କୁଟିଲେ । ସକାଳେ ଥାନାକୁ ନେଇ ଜ୍ୱାଇଁ କଲେ

7,252

କନକ ବ୍ୟୁରୋ : ପ୍ରେମ ଚିରନ୍ତନ, ସାଶ୍ୱତ ଓ ସତ୍ୟ । ଏକଥା ଏବେକାର ପ୍ରେମରେ ବୋଧେ ବିଲିନ ହେବାକୁ ବସିଲାଣି । ଏବେର ପ୍ରେମ କିଛି ଶାରିରୀକ ସଂପର୍କ, ଉପାହାର ଦେବା ନେବା ଭିତରେ ସୀମିତ ରହିଗଲାଭଳି ମନେ ହେଉଛି । ହେଲେ ବେଳେ ବେଳେ ପ୍ରେମିକ ପ୍ରେମିକା ଏମିତି ପରିସ୍ଥିତିରେ ସାମ୍ନା କରୁଛନ୍ତି ଯେ ଇଚ୍ଛା ନଥିଲେ ବି ପରସ୍ପରକୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ ।

ସୂଚନା ମୁତାବକ ଉତରପ୍ରଦେଶର ରାମପୁର ଅଞ୍ଚଳରେ ଜଣେ ଯୁବକ ଅଧରାତିରେ ପ୍ରେମିକାକୁ ଦେଖା କରିବାକୁ ପ୍ରେମିକାର ଘର ନିକଟରେ ପହଂଚିଯାଇଥିଲା । ହେଲେ କୌଣସି କାରଣରୁ ପରିବାର ଲୋକେ ଏହା ଜାଣିପାରି ଯୁବକ ଜଣକୁ ଧରିନେଇଥିଲେ । ରାଗରେ ଥିବା ପରିବାର ଲୋକେ ଯୁବକ ଜଣକୁ ଧରି ଏକ ଘର ଭିତରେ ବନ୍ଦ କରିଦେଇଥିଲେ । ଏହାପରେ ପ୍ରେମିକାର ପରିବାର ଲୋକେ ରାତିସାରା ଯୁବକ ଜଣକୁ ନିର୍ଦ୍ଧୁମ ଛେଚିଥିଲେ । ସକାଳ ହେଲା କ୍ଷଣି ସେମାନେ ଅଭିଯୁକ୍ତ ଯୁବକକୁ ନେଇ ଥାନାରେ ପହଂଚିଥିଲେ । ହେଲେ ଯୁବକ ଜଣକ ରାତିସାରା କୁଟା ଖାଇବା ପରେ ପୁରା ଛାନିଆ ହୋଇଯାଇଥିଲା । ଏପଟେ ପ୍ରେମିକାର ପରିବାର ଲୋକଙ୍କ ମାଡ ତ ପୁଣି କାଳେ ପୋଲିସ ପିଟିବ ସେହି ଡରରେ ପ୍ରେମିକ ଜଣକ ସେହି ଝିଅକୁ ବାହା ହେବାକୁ ଝିଅର ପରିବାର ଲୋକଙ୍କୁ ପ୍ରସ୍ତାବ ଦେଇଥିଲା । ଏକଥାକୁ ଝିଅର ପରିବାର ଲୋକେ ଗ୍ରହଣ କରିନେଇଥିଲେ । ରାତିସାରା କୁଟିଥିବା ଯୁବକକୁ ସକାଳୁ ଜ୍ୱାଇଁ କରିଥିଲେ ।

କହିରଖୁ କି ଏହି ଘଟଣା ରାମପୁରର ଅଜିମନଗର ଥାନା କ୍ଷେତ୍ରରେ ଥିବା ସୁମାଲି ଗାଁର । ଯେଉଁ ଗାଁରେ ପ୍ରେମିକା ଲକ୍ଷ୍ମୀର ଘର । ସେହି ଅଜିମନଗର ଥାନା କ୍ଷେତ୍ର ନଗଲୀ ଗ୍ରାମରେ ପ୍ରେମିକ ପ୍ରେମ ସିଂର ଘର । ଏମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସଂପର୍କ ରହିଥିଲା । ପ୍ରେମିକ ଜଣକ ପ୍ରାୟ ରାତିରେ ପ୍ରେମିକା ନିକଟକୁ ଦେଖା କରିବାକୁ ଆସୁଥିଲା । ଘଟଣା ଦିନ ରାତି ୧୨ ଟା ପରେ ପ୍ରେମିକ ଜଣକ ପ୍ରେମିକାର ଘରକୁ ଆସିଥିଲା । ଏହାପରେ ପୂର୍ବରୁ ସଜାଗ ଥିବା ପ୍ରେମିକାର ପରିବାର ଲୋକେ ତାକୁ ଧରି ଏକ ଘରେ ବନ୍ଦ କରିଦେଇଥିଲେ । ଏହା ସହ ରାତି ତମାମ୍ ତାକୁ ମାଡ ମାରିଥିଲେ ।
ଏନେଇ ଅଜିମନଗର ଥାନାର ପୋଲିସ ଅଧିକ୍ଷକ ଅରୁଣ କୁମାର ସିଂ କହିଛନ୍ତି କି ଏହି ଅଭିଯୋଗ ଆସିବା ପରେ ଝିଅଟିକୁ ଥାନାକୁ ଡକାଯାଇଥିଲା । ଏହା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ପରିବାର ଥାନା ପରିସରରେ ବସି ସେମାନଙ୍କର ବିବାହା କରାଇଦେବାକୁ ରାଜି ହୋଇଥିଲେ । ଏ ସମସ୍ତ କଥା ମେଣ୍ଟିବା ପରେ ଥାନା ପରିସରରେ ଥିବା ଏକ ଛୋଟ ମନ୍ଦିରରେ ସେମାନଙ୍କର ବାହାଘର କରାଯାଇଥିଲା ।