ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ୨୦୧୧ ଓ ୨୦୨୩ ବିଶ୍ୱକପରେ ରହିଛି ଅନେକ ସମାନତା, ରୋହିତ ବାହିନୀ ଟାଇଟଲ ହାତେଇବା ପକ୍କା ! 

12

କନକ ବ୍ୟୁରୋ : ସୁପର ସଣ୍ଡେରେ ହେବ ସୁପରହିଟ୍ ମୁକାବିଲା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ ଫାଇନାଲ । ଦୀର୍ଘ ୨୦ ବର୍ଷ ପରେ ମୁହାଁମୁହିଁ ହେବେ କ୍ରିକେଟର ଦୁଇ ମହାଶକ୍ତି ଭାରତ-ଅଷ୍ଟ୍ରେଲିଆ । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ । ଭାରତରେ ବିଶ୍ୱକପ ଖେଳାଯାଉଥିବାରୁ ଟିମ୍ ଇଣ୍ଡିଆ ଟାଇଟଲ ଦାବିଦାର ରହିଛି । ଭାରତ ପୁଣି ନିଜ ମାଟିରେ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ । ଏହାଛଡା ଅନେକ କ୍ରିକେଟର ମଧ୍ୟ ଭାରତର ବିଶ୍ୱକପ ବିଜୟକୁ ନେଇ ଆଶାବାଦୀ ରହିଛନ୍ତି । ଭାରତୀୟ ପ୍ରଂଶସକ ୨୦୧୧ ବିଶ୍ୱକପ  ଓ ୨୦୨୩ ବିଶ୍ୱକପ ମଧ୍ୟରେ ବିଭିନ୍ନ ସଂଯୋଗ ଥିବା ଦର୍ଶାଇ ଟିମ୍ ଇଣ୍ଡିଆ ବିଶ୍ୱକପ ଜିତିବ ବୋଲି କହି ଆସୁଛନ୍ତି । ତେବେ ୨୦୧୧ ଓ ୨୦୨୩ ବିଶ୍ୱକପ ମଧ୍ୟରେ କଣ ସମାନତା ରହିଛି ତାହା ଉପରେ ନଜର ପକାନ୍ତୁ ।

୨୦୧୧ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଟିମ୍ ଟି-୨୦ ଚାମ୍ପିୟନ ହୋଇଥିଲା ଏବଂ ୨୦୧୧ ବିଶ୍ୱକପରେ ସେମିଫାଇନାଲକୁ ମଧ୍ୟ ଯୋଗ୍ୟତା ହାସଲ କରିପାରିନଥିଲା ।  ୨୦୨୩ ବିଶ୍ୱକପରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଇଂଲଣ୍ଡ ଚଳିତ ବିଶ୍ୱକପର ସେମିଫାଇନାଲ ରେସରୁ ବାଦ୍ ପଡିଥିଲା ।  ଏହାସହ ଗତବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ତେଣୁ ଏହି ସଂଯୋଗ ଭାରତ ସପକ୍ଷରେ ଯାଉଛି ।

ସେହିଭଳି ୨୦୧୧ ବିଶ୍ୱକପର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଯୁବରାଜ ସିଂ ୪ ନମ୍ବର ସ୍ଥାନରେ ଆସି ବ୍ୟାଟିଂ କରିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରି ମ୍ୟାନ୍ ଅଫ୍ ଦ ପୁରସ୍କାର ହାତେଇଥିଲେ । ୨୦୨୩ ବିଶ୍ୱକପର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ ଆସି ଶ୍ରେୟସ ଆୟର ମଧ୍ୟ ଶତକ ହାସଲ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ହାତେଇଛନ୍ତି । ଏହାଛଡା ୨୦୧୧ ବିଶ୍ୱକପରେ ବାମହାତୀ ସ୍ପିନର ଯୁବରାଜ ସିଂ ଆୟରଲାଣ୍ଡ ବିପକ୍ଷରେ ୫ ୱିକେଟ ହାସଲ କରିଥିଲେ, ଠିକ୍ ସେହିଭଳି ଚଳିତ ବିଶ୍ୱକପରେ ମଧ୍ୟ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ୱିକେଟ ହାସଲ କରିଥିଲେ । ତେଣୁ ଏହି ସଂଯୋଗକୁ ଦେଖିଲେ ଭାରତର ବିଶ୍ୱକପ ବିଜୟ ସମ୍ଭାବନା ଅଧିକ ବଢି ଯାଉଛି ।

୨୦୧୧ ବିଶ୍ୱକପରେ ଭାରତୀୟ ଟିମର ୫ ବୋଲର ପାକିସ୍ତାନ ବିପକ୍ଷରେ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ,  ଠିକ୍ ସେହିଭଳି ୨୦୨୩ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ୫ ବୋଲର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଉଭୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଚଳିତ ବିଶ୍ୱକପରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିଥିବା ବିରାଟ କୋହଲି ୨୦୧୧ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । ୨୦୨୩ ବିଶ୍ୱକପରେ ମଧ୍ୟ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି କୋହଲି । କିଛି ଏଭଳି ସମାନତା ଦେଖି ଲାଗୁଛି ଯେ, ୨୦୧୧ ଭଳି ୨୦୨୩ରେ ମଧ୍ୟ ବିଶ୍ୱକପ ବିଜେତା ହେବ ଟିମ୍ ଇଣ୍ଡିଆ ।