ଜୀବନ ନେଉଛି ରାୟଗଡା ନାଗାବଳୀ ଝୁଲାପୋଲ ! ଘଟୁଛି ବାରମ୍ବାର ଅଘଟଣ, ଚେତୁନି ପ୍ରଶାସନ

106

କନକ ବ୍ୟୁରୋ : ଡେଥ୍ ଜୋନ ପାଲଟିଛି ନାଗାବଳି ଝୁଲାପୋଲ । ନଦୀ ଗର୍ଭରେ ଗଲାଣି ୨୨ ପର୍ଯ୍ୟଟକଙ୍କ ଜୀବନ । ପ୍ରତିଦିନ ପର୍ଯ୍ୟଟକ, କଲେଜ ଛାତ୍ରଛାତ୍ରୀ, ଆଖପାଖ ଅଂଚଳର ଯୁବକ ଯୁବତୀ ବିପଦ ସଙ୍କୁଳ ଭାବେ ନଦୀ ତଳକୁ ଯାଇ ସେଲ୍ଫି ଉଠାଇ ଓ ଭିଡିଓ କରି ମୃତ୍ୟୁ ମୁଖରେ ପଡୁଛନ୍ତି । ଏତେ ସବୁ ସତ୍ତେ୍ୱ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ବସିଛି ।
ଓଡିଶାରେ ଦ୍ୱିତୀୟ ଝୁଲାପୋଲ ରାୟଗଡାର ଚେକାଗୁଡା ସ୍ଥିତ ଝୁଲାପୋଲ । ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ ସହ ଅନ୍ୟ ରାଜ୍ୟରୁ ରାୟଗଡାକୁ ଆସୁଥିବା ପର୍ଯ୍ୟଟକ ମାଆ ମଝିଘରିଆଣୀଙ୍କ ଦର୍ଶନ କରିବା ପରେ ନାଗାବଳୀ ଏବଂ ଚେକାଗୁଡା ଝୁଲାପୋଲ ଦେଖିବାକୁ ଆସନ୍ତି । ଏଠାରେ ଅନେକ ପର୍ଯ୍ୟଟକ ଅଘଟଣର ସାମ୍ନା କରନ୍ତି । ପୋଲ ତଳକୁ ଯାଇ ସେଲ୍ଫି ଉଠାଇ, ଭିଡିଓ କରିବା ବେଳେ ନଦୀକୁ ଖସି ପଡିବାରୁ ପ୍ରାଣ ହରାଉଛନ୍ତି । ସୂଚନା ଅନୁଯାୟୀ ୨୦୨୧ରେ ନଦୀରେ ବୁଡି ୪ ଜଣଙ୍କ ଜୀବନ ଯାଇଛି । ୨୦୧୭ରେ ୬ ଜଣ, ୨୦୧୮ରେ ୮ ଜଣ, ୨୦୧୯ରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ତେବେ କରୋନା କଟକଣା ଯୋଗୁଁ ପର୍ଯ୍ୟଟକ ଆସିନଥିବାରୁ ୨୦୨୦ରେ କୌଣସି ମୃତ୍ୟୁ ହୋଇନଥିଲା ।

୧୫୧ ମିଟର ଲମ୍ବ ପୋଲରୁ ୨୦୦ ଫୁଟ ତଳେ ପ୍ରବାହିତ ନାଗାବଳୀର ପ୍ରଖର ସ୍ରୋତରେ ଭାସି ଯାଉଛନ୍ତି ପର୍ଯ୍ୟଟକ । ଏଠାରେ କୌଣସି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇନଥିବାରୁ ନଦୀର ସ୍ରୋତ ସଂପର୍କରେ ଜାଣି ନପାରି ମୃତ୍ୟୁମୁଖରେ ପଡୁଛନ୍ତି ପର୍ଯ୍ୟଟକ । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପୋଲ ଉପରେ ସୁରକ୍ଷା ସଂପର୍କିତ ଏକ ଫଳକ ଲଗାଇ କାମ ସାରି ଦେଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ପଚାରିବାରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି ଖୁବ୍ଶୀଘ୍ର ଯାଞ୍ଚ କରାଯାଇ ପୋଲ ଉପରେ ତାର ବାଡ ନିର୍ମାଣ ହେବ । ଯାହାଦ୍ୱାରା ଅଘଟଣକୁ ରୋକାଯାଇପାରିବ ।