କନକବ୍ୟୁରୋ: ୨୦୨୩ ଡିସେମ୍ବର ଶେଷ ସୁଦ୍ଧ ଶେଷ ହେବ ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ। ଖୋଦ୍ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଏହା କହିଥିଲେ। ରାସ୍ତାର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା ବି କରିଥିଲେ। ହେଲେ କଣ୍ଟ ପୂରିଯାଇଥିଲେ ମଧ୍ୟ ଜାତୀୟ ରାଜପଥ କାମ ଅଧାପନ୍ତରିଆ ହୋଇ ପଡ଼ିଛି। ଅନୁଗୁଳର ଜୀବନରେଖା ସାଜିଥିବା ଜାତୀୟ ରାଜପଥ ୬ ବର୍ଷ ହେଲା ଅନୁଗୁଳର ଦୁଃଖ ପାଲଟିଯାଇଛି । ୨୦୧୮ରୁ ଜାତୀୟ ରାଜପଥ ପ୍ରସସ୍ତିକରଣ କାମ ଚାଲିଛି ଯେ, ସରୁନି । ୪ ଥାକିଆ ରାସ୍ତାକାମ ମନ୍ଥର ଗତିରେ ଚାଲୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ କାମ ୨୦୧୮ରୁ ଆରମ୍ଭ ହୋଇଥିଲା ୨୦୨୦ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଜମି ଅଧିଗ୍ରହଣ, ହାତୀ କରିଡର ଭଳି ଏକାଧିକ କାରଣ ପାଇଁ ସଠିକ୍ ସମୟରେ କାମ ଆରମ୍ଭ ହୋଇ ପାରିନଥିଲା କରୋନା ମହାମାରୀ ପାଇଁ ମଧ୍ୟ କାମ ବାଧାପ୍ରାପ୍ତ ହୋଇଥିଲା

ପରପର୍ତ୍ତୀ ସମୟରେ ଠିକାଦାର ବଦଳାଇ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସାରିବାକୁ ଡେଡ୍ଲାଇନ୍ ରହିଥିଲା ସମୟ ସରିଥିଲେ ମଧ୍ୟ ୧୫୩ କିଲୋମିଟର ଲମ୍ବ ରାସ୍ତାର ପ୍ରାୟ ୯୦% କାମ ସରିଛି, କିନ୍ତୁ ବଇଣ୍ଡା, ବାମୁର ଓଭରବ୍ରିଜ୍ କାମ ଏଯାଏଁ ସରିନାହିଁ ଜାତୀୟ ରାଜପଥର କିଛି ଅଂଶ ଅତି କଦର୍ଯ୍ୟ ହୋଇ ପଡିଛି । ଫଳରେ ଅନୁଗୁଳ-ଢେଙ୍କାନାଳ ଲୋକଙ୍କ ଜୀବନ ଯେମିତି ବାଜିରେ ଲାଗିଛି । ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣହାନୀ ଘଟୁଥିବା ଅଭିଯୋଗ ହୋଇଛି ।

୨୦୧୯ରୁ ୨୦୨୨ ଭିତରେ ପ୍ରାୟ ୭୬୧ଟି ମୂଲ୍ୟବାନ ଜୀବନ ଯାଇଛି । ୨୦୧୯ରେ ଅନୁଗୁଳ ଜିଲ୍ଲାର ସର୍ବାଧିକ ୨୧୭ ଜଣଙ୍କ ଜୀବନ ନେଇଛି ରାଜପଥ । ସେହିଭଳି ୨୦୨୦ରେ ୧୯୨, ୨୧ରେ ୧୯୫ ଓ ୨୨ରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକଙ୍କ ହାତଗୋଡ ଭାଙ୍ଗିଛି । ଏପଟେ ଅନୁଗୁଳ ସହର ପାଇଁ ହେଉଥିବା ବାଇପାସ୍ କାମ ସରିବାକୁ ବସିଥିବା ବେଳେ ହାତୀ କରିଡର ଓ ଓଭରବ୍ରିଜ୍ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି । ଲିଙ୍ଗରା ନଦୀରେ ହେଉଥିବା ପୋଲ ଅଧାରେ ପଡ଼ିଛି । ଶରଧାପୁର, ଛେଳିଆପଡ଼ାରେ ଓଭରବ୍ରିଜ୍ ନିର୍ମାଣ ଶେଷ ହୋଇନାହିଁ । ତେଣୁ ଅନୁଗୁଳବାସୀଙ୍କ ଦୁଃଖ ପାଲଟିଥିବା ରାସ୍ତା କାମ ଶୀଘ୍ର ହେବା ପରି ଲାଗୁନାହିଁ ।