କନକ ବ୍ୟୁରୋ: ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୯୯ ବିଧାନସଭା ଆସନ ଓ ୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । କେବଳ ବାଲେଶ୍ୱର ଲୋକସଭା ବାକି ରହିଛି । ତେବେ ଯେଉଁ ଯେଉଁ ଆସନଗୁଡିକରେ ଟିକେଟକୁ ନେଇ ଅଧିକ ବିବାଦ ରହିଛି । ସେଠାରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଏବେ ବି ସେହି ଆସନଗୁଡିକରେ ଟିକେଟ ବଣ୍ଟନ ପାଇଁ କସରତ ଚାଲିଛି । ବହୁ ଆଶାୟୀ ଥିବାରୁ ସେମାନଙ୍କୁ ବୁଝାସୁଝା କରି ଜଣଙ୍କ ପ୍ରାର୍ଥୀତ୍ୱ ଉପରେ ସହମତି ଆଣିବାକୁ ଶୀର୍ଷ ନେତୃତ୍ୱ ଉଦ୍ୟମ କରୁଛନ୍ତି । ତେବେ ମିଳୁଥିବା ସୂଚନା ମୁତାବକ, ଏଇ ସପ୍ତାହରେ ଆଉ କିଛି ଆସନରେ ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦ୍ୱିତୀୟ ତାଲିକାରେ ୭ ମହିଳା ସ୍ଥାନ ପାଇଥିବାବେଳେ ପ୍ରତାପ ଜେନାଙ୍କ ସମେତ ୭ ବିଧାୟକଙ୍କ ଟିକେଟ କଟିଛି । ଦଳ ବଦଳ ନେତାଙ୍କୁ ବି ଟିକେଟ ଦେଇଛି ବିଜେଡି । ୭ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣ ବିଧାୟକ ରିପିଟ୍ ହୋଇଛନ୍ତି । ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସ୍ଥାନରେ ଟିକେଟ ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୯୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ରହିଛି, ସେ ଭୁବନେଶ୍ୱର-ଏକାମ୍ର ଆସନରୁ ନିର୍ବାଚନ ଲଢିବେ । ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରୁସୁଗୁଡାରୁ ଦୀପାଳି ଦାସ ଓ ବ୍ରହ୍ମପୁରରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତଙ୍କ ପୁଣି ଟିକେଟ ମିଳିଛି । ଜଗତସିଂହପୁରୁ ପ୍ରଶାନ୍ତ ମୁଦୁଲି ପ୍ରାର୍ଥୀ ହେବେ । ଯଶୀପୁର ଆସନରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚକ୍ରଧର ହେମ୍ବ୍ରମ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସୋର ମ୍ୟୁନିସିପାଲଟି ଅଧ୍ୟକ୍ଷ ମାଧବ ଧଡାଙ୍କୁ ବିଜେଡି ଟିକେଟ ମିିଳଛି ।