ହାଡ ଭାଙ୍ଗୁଛି ଜାଡ, ଶୀତରେ ଥରୁଛି ସାରା ଓଡିଶା…ଦାରିଙ୍ଗିବାଡିରେ ବରଫବର୍ଷା…ଘର, ଅଗଣା ଗଛପତ୍ର ସବୁଠି ଢାଙ୍କି ରହିଛି ଧଳା ଆସ୍ତରଣ

435

କନକ ବ୍ୟୁରୋ: ଦାରିଙ୍ଗିବାଡିରେ ତୁଷାରପାତ । ବାଲିଗୁଡା-ଦାରିଙ୍ଗିବାଡି ଓ ସିମନବାଡିରେ ତୁଷାରପାତ ହୋଇଛି । ଓଡିଶାର କାଶ୍ମୀର କୁହାଯାଉଥିବା ଏହି ଦାରିଙ୍ଗିବାଡିରେ ଚଳିତ ବର୍ଷ ଏହା ପ୍ରଥମ ତୁଷାରପାତ । ଘର, ଅଗଣା, ଗଛ ପତ୍ର ସବୁଠି ଧଳା ଆସ୍ତରଣ ବସି ଯାଇଛି । ସେପଟେ ସୁନ୍ଦରଗଡ଼ କୋଇଡ଼ାରେ ପ୍ରବଳ ଥଣ୍ଡା ଅନୁଭୁତ ହେବା ସହ ତୁଷାରପାତ ହୋଇଛି । ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ସକାଳୁ ସକାଳୁ ଗଛପତ୍ର, ଘର ଦ୍ୱାର, ଖୋଲା ପଡ଼ିଆ, ଗାଡି, ମଟର ଉପରେ ତୁଷାରପାତର ଧଳା ଆସ୍ତରଣ ଘୋଡ଼ାଇ ହୋଇ ରହିଛି । ଶୀତରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । କୋଇଡ଼ା ବ୍ଲକର ଟେନସା, କାଲଟା, ପାଟମୁଣ୍ଡା, ସାନଇନ୍ଦିପୁର, ମାଲଦା, ଜାମୁଢି ଭଳି ପ୍ରମୁଖ ସ୍ଥାନରେ ତୁଷାରପାତ ହୋଇଛି । ତୁଷାରପାତ ଏବଂ ପ୍ରବଳ ଥଣ୍ଡା ଯୋଗୁଁ ଦିନରେ ତାପମାତ୍ରା କମୁଛି । ଆଗକୁ ଆହୁରୀ ଶୀତ ବଢିବା ନେଇ ସୂଚନା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି । ସେହିଭଳି ପଶ୍ଚିମ ଓଡିଶାରେ ମଧ୍ୟ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି । ଥଣ୍ଡାର ପ୍ରକୋପ ରେକର୍ଡ ଭାଙ୍ଗିଛି । ଶୀତ ଲହରି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ବିଶେଷ କରି ଘର ଦ୍ୱାର ନଥିବା ନରାଶ୍ରୟଙ୍କ ଅସୁବିଧା ବଢ଼ାଇ ଦେଇଛି ଶୀତ । ଏହି ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ସେକି ହେଉଛନ୍ତି ।

ଏପଟେ ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ରାତି ବଢ଼ିଲେ ବଢ଼ୁଛି ଥଣ୍ଡା । ତାସାଙ୍ଗକୁ ସକାଳୁ ସକାଳୁ ଶୀତ ଲହରୀ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ମୟୂରଭଂଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି କରଯାଇଥିବା ଜିଲ୍ଳା ଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଦା, ପୁରୀ,ନୟାଗଡ, ବୌଦ୍ଧ, ସୋନପୁର,ବଲାଙ୍ଗୀର ।

ଏହି ସବୁ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ସେହିପରି ଉତରଓଡିଶାର ଆଭ୍ୟନ୍ତରୀଣ ଅଂଚଳ, ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବ ଥଣ୍ଡା ଅନୁଭୂତ ହେବ । ଏହା ସହିତ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଳାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ଆଶଙ୍କା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଅସହ୍ୟ ଥଣ୍ଡା ଯୋଗୁଁ ଦିଲ୍ଲୀ, ଉତରପ୍ରଦେଶ ସମେତ ୬ ରାଜ୍ୟରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।