ମନ ମୋହୁଛି କାଶ୍ମୀରର ତୁଷାର ପାତ । ବଢୁଛି ପର୍ଯ୍ୟଟକଙ୍କ ଭିଡ

88

କନକ ବ୍ୟୁରୋ : କାଶ୍ମୀର ବିଭିନ୍ନ ସ୍ଥାନରେ ଗତ ରାତିରୁ ଆରମ୍ଭ ହେଲାଣି ବରଫ ବର୍ଷା । ଆଗକୁ ଆହୁରି ବରଫ ପଡିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି । ପ୍ରାୟତଃ ପ୍ରାକୃତିକ ସୁନ୍ଦରତା ଓ ବରଫର ମଜା ନେବା ପାଇଁ କାଶ୍ମୀରରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ତୁଷାରପାତ ଏହି ସ୍ଥାନର ମୁଖ୍ୟ ଆକର୍ଷଣ । ଢେରଦିନର ଶୁଖିଲା ଶୀତ ପାଗ ପରେ ଗତ ରାତି ବରଫ ପଡି ସମସ୍ତଙ୍କ ମନ ଖୁସି କରି ଦେଇଛି । ସାମାନ୍ୟ ବର୍ଷା ସହ ବରଫ ପଡିବା ଆରମ୍ଭ ହେବା ସହ ରାଜ୍ୟ ରାଜଧାନୀ ସମର କ୍ୟାପିଟାଲ କୁହା ଯାଉଥିବା ଶ୍ରୀନଗରରେ ପ୍ରାୟ ୨ ଇଂଚର ବରଫ ବିଛାଇ ହୋଇଥିବାର ଦେଖା ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଅନନ୍ତନାଗ ରେ ୪ ଇଂଚ,  ପୁଲୱାମାରେ ୨ ଇଂଚ, ବାରମୁଲ୍ଲାରେ ୪ ଇଂଚ, କ୍ୱାଜିଗୁଣ୍ଡରେ ୯ ଇଂଚ, ପାହାଲଗାମର ୧୦ ଇଂଚ ଓ ଗୁଲମାର୍ଗରେ ୧୪ ଇଂଚର ବରଫ ପଡିବାର ଖବର ମିଳିଛି ।

କାଶ୍ମୀର ଉପତ୍ୟାକାରେ ଏହା ବର୍ଷର ପ୍ରଥମ ତୁଷାରପାତ । ବରଫ ପଡିବା ଆରମ୍ଭ ହେବାରୁ ଲୋକମାନେ ଯତେ ଖୁସି ହୁଅନ୍ତି ରାସ୍ତା ଜାମ ଓ ବରଫ ଝଡ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବି ହୁଅନ୍ତି । ବରଫ ପଡିବା ସହ ଶ୍ରୀନଗରର ତାପମାତ୍ରା ୦.୨ ଡିଗ୍ରୀ ସେଲସିୟସ ଖସି ଯାଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ମାଇନସ ୨ ରୁ ୪ ଯାଏଁ ପାରଦ ଖସିଛି । ଏ ମାନଙ୍କ ମଧ୍ୟରେ ପାହାଲଗମ ତାପମାତ୍ରା ସର୍ବାଧିକ ମାଇନସ ୪ ଡିଗ୍ରୀକୁ ଖସି ରେକର୍ଡ କରିଛି ।

ପାଗରେ ପରିବର୍ତ୍ତନ ରାଜ୍ୟର ଧିମେଇ ଯାଇଥିବା ପର୍ଯ୍ୟଟନ ଶିଲ୍ପକୁ ବଢାଇବା ସହ ବିଭିନ୍ନ ଫଳ ଓ ରବି ଫସଲ ଚାଷୀଙ୍କ ପାଇଁ ସହାୟକ ହେବ ବୋଲି ସାଧରଣ ଅଧିବାସି ଆଶା କରୁଛନ୍ତି । ବୁଲିବାକୁ ଭଲ ଲାଗିବ ନିହାତି କିନ୍ତୁ ପ୍ରବଳ ଶୀତ ଲହରୀ ଓ ଘନ କୁହୁଡି କିଛିଟା ଅସୁବିଧା କରାଇବ, ହେଲେ ମଧ୍ୟ ଲୋକ ଏହି ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ କାହିଁ ଦୂରରୁ ଆସିଥାନ୍ତି ଓ ଏହି ରୂତୁରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳେ ।