ଶ୍ରୀନଗରରେ ପ୍ରବଳ ହିମପାତ । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ଆସ୍ତରଣ । ହିମପାତର ମଜା ନେଉଛନ୍ତି ପର୍ଯ୍ୟଟକ ।

244

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରନଗରରେ ବର୍ଷର ପ୍ରଥମ ବଡଧରଣର ବରଫ ବର୍ଷା ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ବରଫ ଆସ୍ତରଣ ।

ଶ୍ରୀନଗରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ପର୍ଯ୍ୟଟକଙ୍କ ଭିତରେ ଖୁସି ଭରିଦେଇଥିବା ବେଳେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ବ୍ୟବସାୟୀଙ୍କ ପାଇଁ ଦୁଇ ପଇସା ରୋଜଗାର କରିବାର ବାଟ ଫିଟାଇ ଦେଇଛି । ମୁଖ୍ୟତଃ ଦକ୍ଷିଣ କଶ୍ମୀର ଓ ପାହାଡିଆ ଅଂଚଳରେ ପ୍ରଥମ ତୁଷାରପାତ ଯୋଗୁଁ ସବୁଆଡେ ଧଳା ରଙ୍ଗର ଚାଦର ଘୋଡାଇ ହୋଇଛି । ପାଣିପାଗରେ ପରିବର୍ତନ ହୋଇଥିବା ଯୋଗୁଁ ଲଦାଖ ଓ କଶ୍ମୀର ଅଂଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଯାଇଛି । ଗାଡି ମୋଟର ଉପରେ ବରଫର ବହଳିଆ ଆସ୍ତରଣ ଚଢି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ବରଫ ହଟାଉଥିବା ଦେଖିବାକୁ ମିଳିଛି । ସେପଟେ ପ୍ରବଳ ବରଫପାତ ପରେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଛି । ପାଗ ପରିବର୍ତନ ଫଳରେ ଦିଲ୍ଲୀରେ ମଧ୍ୟ ଶୀତର ପ୍ରକୋପ ବଢିବାରେ ଲାଗିଛି । ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିବା ବେଳେ ବର୍ଷା ମଧ୍ୟ ହୋଇଛି ।

ଉତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଜାରି ରହିଛି ପ୍ରବଳ ତୁଷାରପାତ । ଉତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ବରଫ ଚାଦରରେ ଘୋଡାଇ ହୋଇଛି । ଏଠାରେ ଆଗାମୀ ୫ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପାଗ ପରିବର୍ତନ ଯୋଗୁଁ ପ୍ରବଳ ବରଫପାତ ହୋଇଛି । ସିମଲାରେ ବରଫ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢିଥିବା ବେଳେ ପର୍ଯ୍ୟଟକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।