ପିଲାବେଳର ଅଭ୍ୟାସ ଦେଇଛି ପରିଚୟ । ମଣ୍ଡଳ ଆର୍ଟ ସହ ବିଭିନ୍ନ କଳାକୃତି କରି ପ୍ରଶଂସା ଓ ସମ୍ମାନ ସାଉଁଟୁଛନ୍ତି ସ୍ନିଗ୍ଧା ।
କନକ ବ୍ୟୁରୋ: କୌଣସି ଅଭ୍ୟାସ ଯଦି ନିଶାରେ ପାଲଟିଯାଏ ଅନେକ ସମୟରେ ତାହା ସଫଳତା ଆଡକୁ ବାଟ କଢାଏ । ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କଷଣଅଣ୍ଟା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ କ୍ଷେତ୍ରରେ । ପିଲାବେଳୁ ଚିତ୍ର ଆଙ୍କବିାର ନିଶା ଆଜି ତାଙ୍କ ସ୍ଥାନୀୟ ଅଞ୍ଚଳ ସହ ରାଜ୍ୟ ବାହାରେ ମଧ୍ୟ ଦେଇଛି ସମ୍ମାନ ।

Kanak News is now on WhatsApp
Join and get latest news updates delivered to you via WhatsApp
ଛତାଠାରୁ ଆରମ୍ଭ କରି ଡ୍ରେସ୍, କାର୍ଡବୋର୍ଡ ଠାରୁ ନେଇ ପତ୍ର ଯାହା ପାଇଲେ ସେଥିରେ ନିଜର କଳାଚାତୁରୀ ଦେଖାଇଛନ୍ତି ସ୍ନିଗ୍ଧା । ଘର କାମ ସାରି ବାକି ସମୟରେ ସେ ମଜ୍ଜିଯାନ୍ତି ଚିତ୍ର ଆଙ୍କିବାରେ । ବିଭିନ୍ନ ପରିଧାନ ହେଉ ବା କାନଭାସ୍, ଚିତ୍ର ଆଙ୍କୁ ଆଙ୍କୁ କେତେବେଳେ ଘଣ୍ଟା ଘଣ୍ଟା ବିତିଯାଏ ଜାଣିପାରନ୍ତି ନାହିଁ ସ୍ନିଗ୍ଧା । ମଣ୍ଡଳ ଆର୍ଟ ଠାରୁ ଆରମ୍ଭ କରି ବିଭିନନ ମଡର୍ଣ୍ଣ ଆର୍ଟ କରିବାରେ ତାଙ୍କର ଭାରି ସଉକ । କାହାଠାରୁ କୌଣସି ଟ୍ରେନିଙ୍ଗ ନେଇନାହାଁନ୍ତି ସେ । କେବଳ ନିଜର କ୍ରିଏଟିଭିଟିରୁ ତାଙ୍କୁ ମନକୁ ଯାହା ଆସେ ତାକୁ ସେ ବିଭିନ୍ନ ସାମଗ୍ରୀରେ ରୂପ ଦେଇଥାନ୍ତି । ଏପରିକି ଛତା ଏବଂ ନିଜେ ପିନ୍ଧିଥିବା ଡ୍ରେସରେ ମଧ୍ୟ ଅତି ସୁନ୍ଦର ମଣ୍ଡଳ ଆର୍ଟ କରିବାକୁ ଭଲପାଆନ୍ତି । ତାଙ୍କର ଏହି ପ୍ରତିଭା ପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହୋଇଛନ୍ତି ।
ଆଜିକାଲି ସରକାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ ହେବାକୁ ଅର୍ଥିକ ସହାୟତା ଯୋଗାଉଥିବାବେଳେ ସ୍ନିଗ୍ଧାଙ୍କୁ ମଧ୍ୟ ଆର୍ଥିକ ସହଯୋଗ କଲେ ସେ ମଧ୍ୟ ମହିଳାଙ୍କୁ ଚିତ୍ରକଳାର ଟ୍ରେନିଂ ଦେଇ ରୋଜଗାରକ୍ଷମ କରିବା ସହ ନିଜେ ମଧ୍ୟ ଆଗକୁ ବଢିପାରନ୍ତେ ବୋଲି କହିନ୍ତି ସ୍ନିଗ୍ଧା ଓ ସ୍ଥାନୀୟ ବାସିନ୍ଦା ।
ପ୍ରକୃତରେ ସ୍ନିଗ୍ଧାଙ୍କ ଏହି ନିରୋଳା କଳାକୃତିକୁ ଦେଖିଲେ ମନେହୁଏ ଯଦି ତାଙ୍କୁ ସରକାରୀ ସହାୟତା ମିଳନ୍ତା ତେବେ ବଣମଲ୍ଲି ପରି ବଣରେ ଝଡିନପଡି ବରଂ ତାଙ୍କ ପ୍ରତିଭାର ବିକାଶ ହେବା ସହ ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରନ୍ତେ ।