ଛତିଶଗଡ ଷଡଯନ୍ତ୍ରର ଅସଲ ଚିତ୍ର !  ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ଇବ ନଦୀ, ରାଜ୍ୟରେ ବଢିଲା ଜଳ ଚିନ୍ତା

65

କନକ ବ୍ୟୁରୋ : କେବଳ ମହାନଦୀ ନୁହେଁ ଏହାର ମୁଖ୍ୟ ଶାଖା ନଦୀ ମାନଙ୍କୁ ମଧ୍ୟ ନିଶ୍ଚିହ୍ନ କରିବାକୁ ବସିଛି ଛତିଶଗଡ ସରକାର । ଉପରମୁଣ୍ଡରୁ ପାଣି ଚୋରି କରି ଇବ ନଦୀକୁ ମରୁଭୂମିରେ ପରିଣତି କରିଛି ରମଣ ସିଂହ ସରକାର ।  ଟନେଲ କରି ପାହାଡ ମଧ୍ୟରେ ପାଣି ଚୋରି କରୁଥିବା ବେଳେ ଆନିକଟ କରି ପାଣି ଲୁଟିବା ପାଇଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି । ଆଉ ଛତିଶଗଡର ଏହି ଦାଦାଗିରିର ଫଳ ଭୋଗୁଛନ୍ତି ସାରା ରାଜ୍ୟବାସୀ । ମହାନଦୀ ଭଳି ଦଶା ଭୋଗୁଛି ଈବ । ଏପ୍ରିଲ ମାସରୁ ଶୁଖି ଗଲାଣି ନଦୀ ।

ଏକପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରୁଛି ଇବନଦୀ । ଯୁଆଡେ ଚାହିଁଲେ ଦେଖାଯାଉଛି ସୁଖିଲା ନଦୀପଠାରୁ ବିସ୍ତୀର୍ଣ୍ଣ ବାଲୁକା ରାଶି । ଏହା ହେଉଛି ଛତିଶଗଡ ଷଡଯନ୍ତ୍ରର ଅସଲ ଚିତ୍ର । ଯଶପୁର ଜିଲ୍ଲା ସମଡମା ଆନିକଟ ହେବା ପୂର୍ବରୁ ଏହିଭଳି ଚିତ୍ର ସାମ୍ନାକୁ ଆସିଛି । ଏପ୍ରିଲ ଅଧାରୁ ଶୁଖିଗଲାଣି ସୁନ୍ଦରଗଡର ଇବନଦୀ ।

ଈବନଦୀ,  ଛତିଶଗଡ ଯଶପୁର ଜିଲ୍ଲାରୁ ବାହାରି ଓଡିଶାର ସୁନ୍ଦରଗଡ, ଝାରସୁଗୁଡା ଦେଇ ହୀରାକୁଦରେ ମିଶିଛି । ନଦୀ ଅବବାହିକାରେ ଅବସ୍ଥିତ ସୁନ୍ଦରଗଡ ସହର, ସମେତ ସବଡେଗା, ବାଲିଶଙ୍କରା ବ୍ଲକ ଏବଂ ଝାରସୁଗୁଡା ଜିଲ୍ଲା ପିଇବା ପାଣି ପାଇଁ ସମ୍ପୂର୍ଣ୍ଣ ଇବନଦୀ ଉପରେ ନିର୍ଭର କରନ୍ତି । ହେଲେ ନଦୀ, ଗୋଟିଏ ଧାରରେ ବହୁଥିବା ବେଳେ ଅଳ୍ପ ପାଣିକୁ ସଞ୍ଚୟ କରି ଲୋକଙ୍କୁ ପାନୀୟ ଜଳ ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ ।

ଛତିଶଗଡ ଇବନଦୀ ଉପରେ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଛି । ଯଶପୁର ଜିଲ୍ଲା ସମଡମା ଠାରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଇବନଦୀର ଗତିପଥ ପରିବର୍ତନ କରି ଟନେଲ ମାଧ୍ୟମରେ ପାହାଡ ଦେଇ ପାଣି ନେଇଯାଉଛି । ତେବେ ସେତିକିରେ ମନ ମାନିଲାନି ଯେ, ସମଡମା ଠାରେ ଆନିକଟ କରିବାକୁ ଯୋଜନା କରିଛି ରମଣ ସିଂହ ସରକାର ।