କନକ ବ୍ୟୁରୋ: ଓଡିଶା ବିଜେପି ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶାବାସୀଙ୍କ ଆଗରେ ତାଙ୍କର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇ ଦେଇଛି । ବିଜେପି ବିଧାୟକମାନେ ସ୍ୱୀକାର କରିଛନ୍ତି ଯେ, କେନ୍ଦ୍ରର ଅବହେଳା କାରଣରୁ ଓଡିଶା ଚାଷୀଙ୍କୁ ସାର ଉପଲବ୍ଧ ହୋଇପାରୁନି । ଆଉ ଏହାକୁ ବିଜେଡି ବିରୋଧ କରୁଥିବାବେଳେ ଓଡିଶାର ବିଜେପି ବିଧାୟକମାନେ ରାଜ୍ୟର ଚାଷୀଙ୍କ କଲ୍ୟାଣ ପାଇଁ ଚିନ୍ତା କିମ୍ବା ସହାନୁଭୂତି ଦେଖାଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ବିଜେଡି ବିଧାୟକମାନେ ଆଜି ଚାଷୀ ପ୍ରସଙ୍ଗ ଉଠାଇବା ସହିତ ସ୍ୱାମୀନାଥନ୍ କମିଶନର ରିପୋର୍ଟ ଅନୁଯାୟୀ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇବାକୁ ଦାବି କରିଥିଲେ । ତା ସହିତ ଏହାର କାର୍ଯ୍ୟକାରିତା ଏବଂ ଓଡିଶା ଚାଷୀଙ୍କୁ କିପରି ବୀମା କମ୍ପାନୀ ଦ୍ୱାରା ପ୍ରତାରଣା କରାଯାଉଛି ଏବଂ ଏଫସିଆଇ ଚାଉଳ ଖରିଦ କରୁନଥିବାରୁ କୃଷକମାନେ କିଭଳି ପ୍ରତାରିତ ହେଉଛନ୍ତି ତାହା ବିଧାୟକମାନେ ଦର୍ଶାଇଥିଲେ ।
ଅନ୍ୟପକ୍ଷରେ ଓଡିଶା ବିଜେପି ବିଧାୟକମାନେ ଓଡିଶା ଚାଷୀଙ୍କ କଥା ଚିନ୍ତା କରୁନଥିବାରୁ ସେମାନେ ଓଡିଶାର ଚାଷୀଙ୍କ ସହ ଜଡିତ ନୁହଁନ୍ତି । ତେଣୁ ସେମାନେ ଓଡିଶା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ ଏବଂ ଜାଣିଶୁଣି ଓଡ଼ିଶା ବିଧାନସଭାକୁ ଅଚଳ କଲେ ଏବଂ ଏ ବାବଦରେ ଆଲୋଚନା କରିବାକୁ ଚାହିଁଲେ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ।ବୋଧହୁଏ ଓଡିଶା ବିଜେପି ବିଧାୟକମାନେ ଦିଲ୍ଲୀରେ ଥିବା ସେମାନଙ୍କର ଦଳର ନେତୃତ୍ୱ ସହ ସହମତ ନୁହଁନ୍ତି । ତାଙ୍କରି ଦଳର ନେତା ସଂସଦ ଏବଂ ବିଧାନସଭାରେ ଆଲୋଚନା ଏବଂ ବିତର୍କ ହେବା ଉଚିତ ବୋଲି ନିର୍ଦ୍ଦେଶ ଦେଉଛନ୍ତି ହେଲେ ଓଡିଶାରେ କିନ୍ତୁ ବିଜେପି ବିଧାୟକମାନେ ସେହି ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସେହ୍ନାଙ୍ଗିନି କହିଛନ୍ତି ।
ଏଥିସହିତ ଓଡ଼ିଶାର ବିଜେପି ବିଧାୟକମାନେ ବିଧାନସଭା କାର୍ଯ୍ୟରେ ବାଧା ଉପୁଯାଉଛନ୍ତି ଯାହା ବିଜେପିର ଦୋ ମୁହାଁ ନୀତିକୁ ପ୍ରକାଶ କରୁଛି । ଓଡ଼ିଶାର ବିଜେପି ବିଧାୟକମାନେ କିଭଳି ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି ଏବଂ ଆଗାମୀ ଦିନରେ ସେମାନଙ୍କୁ ନିଜ ନିଜ ର୍ନିବାଚନମଣ୍ଡଳୀ ତଥା ସାରା ରାଜ୍ୟରେ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସେହ୍ନାଙ୍ଗିନ ଛୁରିଆ କହିଛନ୍ତି ।